ବାତ୍ୟା ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ପ୍ରଶାସନକୁ ସହଯୋଗ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଡି ଆସୁଥିବା ବାତ୍ୟା ୟାଶ ସ୍ଥିତିର ସମୀକ୍ଷା କରିଛନ୍ତି । ବାତ୍ୟା ଆସନ୍ତାକାଲି ଧାମରା ଓ ବାଲେଶ୍ୱର ମଧ୍ୟରେ ଭୋରରେ ଅତିକ୍ରମ କରିବା ଆଶଙ୍କା ରହିଛି । ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି ମୁଖ୍ୟ ଶାସନ ସଚିବ । ବାତ୍ୟା ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି । ଅଧିକ ପ୍ରଭାବିତ ହେବାକୁ ଥିବା ୫ଟି ଜିଲ୍ଲାରେ ବରିଷ୍ଠ ଅଧିକାରୀଙ୍କ ନିୟୋଜିତ କରାଯାଇଛି । କଚ୍ଚା ଘରେ ଥିବା ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ ସହ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ଅଢେଇ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ବାତ୍ୟା ଆଶ୍ରୟସ୍ଥଳୀରେ ଲୋକଙ୍କୁ ମାସ୍କ ଯୋଗାଇ ଦିଆଯିବା ସହ ସମସ୍ତ ସୁୁବିଧା ଦିଆଯାଇଛି । ବାତ୍ୟା ମୁକାବିଲା ପାଇଁ ୫୨ଟି ଏନଡିଆରଏଫ ଟିମ୍‌, ୬୦ଟି ଓଡ୍ରାଫ୍ ଟିମ୍‌, ୨୦୬ଟି ଅଗ୍ନିଶମ ଟିମ୍ , ଜଙ୍ଗଲ ବିଭାଗର ୮୬ଟି ଟ୍ରି କଟର ଟିମ୍ ମୁତୟନ କରାଯାଇଛି । ୬ ଶହରୁ ଅଧିକ ଇଂଜିନିୟର ଟିମ୍ ମଧ୍ୟ ଗଠନ କରାଯାଇଛି । ମେଡିକାଲରେ ସମସ୍ତ ବ୍ୟବସ୍ଥା କରାଯାଇଛି । ଅଧିକ ଅକ୍ସିଜେନ ମହଜୁଦ ରଖାଯାଇଥିବା ଏସଆରସି ବୈଠକରେ ସୂଚନା ଦେଇଛନ୍ତି ।

ରାଜ୍ୟରେ ବାତ୍ୟା ମୁକାବିଲା ପାଇଁ ସମସ୍ତ ପଦକ୍ଷେପ ନିଆଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ତଙ୍କ ଜୀବନ ବଂଚାଇବା ଲାଗି ସରକାର କାର୍ଯ୍ୟ କରୁଛନ୍ତି । ପ୍ରଶାସନକୁ ସହଯୋଗ କରିବା ଲାଗି ଜନସାଧାରଣଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.