ଭାକ୍ସିନ ସାର୍ଟିଫିକେଟ୍‌ରୁ ମୋଦିଙ୍କ ଫଟୋ ହଟାଇଲା ପଞ୍ଜାବ

ପଟିଆଲା: ଟିକା ଅଭାବ ମଧ୍ୟରେ ଏବେ ଭାକ୍ସିନ୍ ସାର୍ଟିଫିକେଟ୍‌ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ହଟାଇଛନ୍ତି ପଞ୍ଜାବ ସରକାର । ୧୮-୪୪ ବୟସର ଟିକା ହିତାଧିକାରୀଙ୍କୁ ଦିଆଯାଉଥିବା ଭାକ୍ସିନ ସାର୍ଟିଫିକେଟ୍‌ରେ ମୋଦିଙ୍କ ଫଟୋକୁ ହଟାଇ ଦିଆଯାଇଛି ।

ରାଜ୍ୟମାନଙ୍କୁ କେନ୍ଦ୍ର ସରକାର ପର୍ଯ୍ୟାପ୍ତ ପରିମାଣର ଟିକା ଯୋଗାଇବାରେ ବିଫଳ ହୋଇଛନ୍ତି । ଅଧିକାଂଶ ରାଜ୍ୟ ଏବେ ନିଜ ଖର୍ଚ୍ଚରୁ ଟିକା କିଣୁଛନ୍ତି । ୧୮-୪୪ ବୟସର ଲୋକଙ୍କ ଟିକାକରଣ ପାଇଁ ପଞ୍ଜାବକୁ ମଧ୍ୟ ସିଧାସଳଖ ଟିକା ଉତ୍ପାଦନ କରୁଥିବା କମ୍ପାନୀଙ୍କ ଠାରୁ ଭାକ୍ସିନ କିଣିବାକୁ ପଡୁଛି ।

ଝାଡ଼ଖଣ୍ଡ ଓ ଛତିଶଗଡ଼ ପରେ ପଞ୍ଜାବ ଦେଶର ତୃତୀୟ ରାଜ୍ୟ ଭାବେ ଭାକ୍ସିନ ସାର୍ଟିଫିକେଟ୍‌ରୁ ମୋଦିଙ୍କ ଫଟୋ ହଟାଇଛି । ମୋଦିଙ୍କ ଫଟୋ ବଦଳରେ ଝାଡ଼ଖଣ୍ଡ ଓ ଛତିଶଗଡ଼ରେ ଏହି ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଫଟୋ ରହିଛି ।
ପଞ୍ଜାବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ହୁସନ ଲାଲ କହିଛନ୍ତି ଯେ, ୧୮-୪୪ ବୟସ ବର୍ଗର ଲୋକଙ୍କ ପାଇଁ ଆମେ ଟିକା ଯୋଗାଣକାରୀ କମ୍ପାନୀଙ୍କ ଠାରୁ ସିଧାସଳଖ ଟିକା କିଣୁଛୁ । ପୂର୍ବରୁ କେନ୍ଦ୍ର ସରକାର ୪୫ ବର୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କ ପାଇଁ ଟିକା ଯୋଗାଉଥିଲେ । ରାଜ୍ୟ ସରକାର ଏବେ ନିଜ ଖର୍ଚ୍ଚରେ ଟିକା କିଣୁଛନ୍ତି । ଏହି କାରଣରୁ ଭାକ୍ସିନ ସାର୍ଟିଫିକେଟ୍‌ରୁ ମୋଦିଙ୍କ ଫଟୋ ହଟାଇ ଦିଆଯାଇ ଥାଇପାରେ ବୋଲି ସେ କହିଛନ୍ତି ।

Comments are closed.