ରାମଦେବଙ୍କ ବିରୋଧରେ ଥାନାରେ ଅଭିଯୋଗ ଦେଲା ଆଇଏମ୍‌ଏ

ନୂଆଦିଲ୍ଲୀ: ଏଲୋପାଥି ଚିିକିତ୍ସା ଓ ଏଲୋପାଥିକ ଡାକ୍ତରଙ୍କ ବିରୋଧରେ ମନ୍ତବ୍ୟ ପାଇଁ ଯୋଗଗୁରୁ ରାମଦେବଙ୍କ ବିରୋଧରେ ଭାରତୀୟ ମେଡିକାଲ ଆସୋସିଏସନ୍ (ଆଇଏମ୍‌ଏ) ପୁଣି ଏକ ମାମଲା ରୁଜୁ କରିଛି । ଏହି ବିବାଦୀୟ ଯୋଗଗୁରୁଙ୍କ ବିରୋଧରେ ୧୦୦୦ କେଟି ଟଙ୍କାର ମାନହାନୀ ନୋଟିସ୍ ଜାରି କରିବା ପରେ ଆଇଏମ୍‌ଏ ଏବେ ଦିଲ୍ଲୀର ଆଇପି ପୋଲିସ୍ ଷ୍ଟେସନରେ ତାଙ୍କ ବିରୋଧରେ ଅଭିଯୋଗ ରୁଜୁ କରିଛି । ଆଇଏମ୍‌ଏ ପକ୍ଷରୁ ମହାସଚିବ ଡାକ୍ତର ଜୟେଶ ଲେଲେ ଏହି ଅଭିଯୋଗ ଦାଖଲ କରିଛନ୍ତି ।

ଆଇଏମ୍‌ଏର ଏହି ସାନି ଅଭିଯୋଗରେ କୁହଯାଇଛି ଯେ, ରାମଦେବ ଭାକ୍ସିନକୁ ନେଇ ଲୋକଙ୍କ ମନରେ ଭ୍ରମ ସୃଷ୍ଟି କରୁଛନ୍ତି । ସେ ନିଜ ଭିତ୍ତିହୀନ ମନ୍ତବ୍ୟ ଦ୍ୱାରା ସରକାରୀ କର୍ମଚାରୀଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି । ରାମଦେବ ଓ ତାଙ୍କ ସହଯୋଗୀ ମନ୍ଦ ଉଦ୍ଦେଶ୍ୟ ରଖି ମେଡିକାଲ ସମୁଦାୟ ଏବଂ ସାଧାରଣ ଜନତାଙ୍କୁ କ୍ଷତି ପହଞ୍ଚାଇଛନ୍ତି । ଏଥିପାଇଁ ରାମଦେବଙ୍କ ବ୍ୟତୀତ ତାଙ୍କ ସହଯୋଗୀ କରିଥିବା ଷଡ଼ଯନ୍ତ୍ର ନେଇ ତଦନ୍ତ କରାଯାଉ ଏବଂ ଏହି ମାମଲାରେ ଏଫ୍‌ଆଇଆର ରୁଜୁ ହେଉ ବୋଲି ଆଇଏମ୍‌ଏ ଦାବି କରିଛି ।

ଏଲୋପାଥି ଉପରେ ବିବାଦୀୟ ମନ୍ତବ୍ୟ ପାଇଁ ଆଇଏମ୍‌ଏ ଗତକାଲି ରାମଦେବଙ୍କୁ ୧୦୦୦ କୋଟି ଟଙ୍କାର ମାନହାନୀ ନୋଟିସ୍ ପଠାଇଥିଲା । ସେ ନିଜ ମନ୍ତବ୍ୟ ପାଇଁ ୭୨ ଘଣ୍ଟା ମଧ୍ୟରେ ଏକ ଭିଡିଓ ଜରିଆରେ କିମ୍ବା ଲିଖିତ କ୍ଷମା ପ୍ରାର୍ଥାନ କରନ୍ତୁ । ନଚେତ୍ ତାଙ୍କ ବିରୋଧରେ ୧୦୦୦ କୋଟି ଟଙ୍କା ମାନହାନୀ ମକଦ୍ଦମା ରୁଜୁ କରାଯିବ ବୋଲି ଆଇଏମ୍‌ଏ ଚେତାବନୀ ଦେଇଥିଲା ।

Comments are closed.