କରୋନାର ଦ୍ୱିତୀୟ ଲହରୀ ପାଇଁ ପ୍ରଧାନମନ୍ତ୍ରୀ ଦାୟୀ: ରାହୁଲ

ନୂଆଦିଲ୍ଲୀ: କରୋନା ସ୍ଥିତିର ପରିଚାଳନା ଓ ଟିକାକରଣର ମନ୍ଥର ଗତି ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧି ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି । ମୋଦି ହିଁ ଦେଶରେ ଦ୍ୱିତୀୟ ଲହରୀ ପାଇଁ ଦାୟୀ । ସେ କୋଭିଡ୍‌କୁ ବୁଝି ପାରିନାହାନ୍ତି ବୋଲି ରାହୁଲ କହିଛନ୍ତି । ଯଦି ଦେଶରେ ଟିକାକରଣ ଏଭଳି ମନ୍ଥର ଗତିରେ ଚାଲେ, ତେବେ ଦେଶରେ ଆହୁରି ଅନେକ ଲହରୀ ଆସିବ ବୋଲି ରାହୁଲ କହିଛନ୍ତି ।

ରାହୁଲ କହିଛନ୍ତି, କୋଭିଡ୍‌ର ପ୍ରଥମ ଲହରୀ ଆସିବା ବେଳକୁ ଏହି ରୋଗ ବିଷୟରେ କାହାର ଧାରଣା ନଥିଲା । କିନ୍ତୁ ଦ୍ୱିତୀୟ ଲହରୀ ପାଇଁ ପ୍ରଧାନମନ୍ତ୍ରୀ ଦାୟୀ । ତାଙ୍କ ଡ୍ରାମାବାଜି ଏବଂ ଦାୟିତ୍ୱ ନିର୍ବାହ କରିବାରେ ବିଫଳତା ହିଁ ଦ୍ୱିତୀୟ ଲହରୀର ମୁଖ୍ୟ କାରଣ ଥିଲା ବୋଲି ରାହୁଲ ଏକ ଅନଲାଇନ୍ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ଦୁର୍ଭାଗ୍ୟବଶତଃ ପ୍ରଧାନମନ୍ତ୍ରୀ ଜଣେ ଇଭେଣ୍ଟ ମ୍ୟାନେଜର । ସେ ଏକାଥରକେ ଏକାଧିକ କାର୍ଯ୍ୟ ସମ୍ଭାଳି ପାରୁନାହାନ୍ତି । ଜଣେ ଇଭେଣ୍ଟ ମ୍ୟାନେଜରକୁ ନେଇ ଆମେ ଏଭଳି କଠିନ ପରିସ୍ଥିତିର ମୁକାବିଲା କରିପାରିବା ନାହିଁ । ଏଭଳି ସ୍ଥିତିରେ ଆମକୁ ପ୍ରଭାବଶାଳୀ ଓ ତ୍ୱରିତ ପ୍ରଶାସନ ଦରକାର ବୋଲି ରାହୁଲ କହିଛନ୍ତି । କଂଗ୍ରେସର ଏହି ପୂର୍ବତନ ଅଧ୍ୟକ୍ଷ କହିଛନ୍ତି ଯେ, ସାମ୍ପ୍ରତିକ ସ୍ଥିତିରେ ଲକଡାଉନ୍‌, ମାସ୍କ ପରିଧାନ ଏବଂ ସାମାଜିକ ଦୂରତା ପରିବର୍ତ୍ତେ ଟିକା ହିଁ ସ୍ଥାୟୀ ସମାଧାନ । ସଠିକ୍ ଟିକାକରଣ ନୀତି ବିନା ଭାରତକୁ କୋଭିଡ୍‌ର ଆହୁରି ଅନେକ ଲହରୀର ସମ୍ମୁଖୀନ ହେବାକୁ ପଡିପାରେ ବୋଲି ରାହୁଲ କହିଛନ୍ତି ।

Comments are closed.