ଟିକା ପାଇଁ ଲାଞ୍ଚ, ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟଙ୍କ ସଦସ୍ୟତା ରଦ୍ଦ କରିବାକୁ ଦାବି କଲା କଂଗ୍ରେସ

ବେଙ୍ଗାଲୁରୁ: ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟ ଓ ତାଙ୍କ କକା ତଥା ବିଧାୟକ ରବି ସୁବ୍ରମଣ୍ୟମଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛି କଂଗ୍ରେସ । ତେଜସ୍ୱୀ ସୂର୍ଯ୍ୟଙ୍କ କକା ସୁବ୍ରମଣ୍ୟମ କର୍ଣ୍ଣାଟକର ଏକ ଘରୋଇ ହସ୍ପିଟାଲ ଠାରୁ ଟିକା ବଦଳରେ ଟଙ୍କା ଦାବି କରୁଛନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ । ଉଭୟଙ୍କ ସାଂସଦ ଓ ବିଧାୟକ ପଦରୁ ହଟାଯାଉ ଏବଂ ସେମାନଙ୍କ ବିରୋଧରେ ଏଫ୍‌ଆଇଆର୍ ରୁଜୁ ହେଉ ବୋଲି କଂଗ୍ରେସ ଦାବି କରିଛି ।

କଂଗ୍ରେସ ମୁଖପାତ୍ର ପବନ ଖେରା କହିଛନ୍ତି ଯେ, ତେଜସ୍ୱୀଙ୍କ କକା ସୁବ୍ରମଣ୍ୟମ କର୍ଣ୍ଣାଟକର ଏକ ଘରୋଇ ହସ୍ପିଟାଲ ଠାରୁ ପ୍ରତି ଭାକ୍ସିନ ପିଛା ୭୦୦ ଟଙ୍କା ଲାଞ୍ଚ ନେଇଛନ୍ତି । ସୋସିଆଲ ମିଡିଆରେ ଘୂରି ବୁଲୁଥିବା ଏକ ଅଡ଼ିଓ କ୍ଲିପ୍ ଆଧାରରେ ସେ ଏହି ଅଭିଯୋଗ କରିଛନ୍ତି । ଅଡ଼ିଓ କ୍ଲିପ୍‌ରେ ଉକ୍ତ ଘରୋଇ ହସ୍ପିଟାଲର ଜଣେ ମହିଳା କର୍ମଚାରୀ ଓ ଭେଙ୍କଟେଶ ନାମକ ଜଣେ ସାମାଜିକ କର୍ମୀଙ୍କ ମଧ୍ୟରେ ବାର୍ତ୍ତାଳପ ରହିଛି । ହସ୍ପିଟାଲରେ ଦିଆଯାଉଥିବା ପ୍ରତି ଟିକା ପିଛା ତେଜସ୍ୱୀଙ୍କ କକା ରବି ସୁବ୍ରମଣ୍ୟମଙ୍କୁ ୭୦୦ ଟଙ୍କା କମିସନ୍ ଦେବାକୁ ପଡୁଛି ବୋଲି ମହିଳା କର୍ମଚାରୀ ଜଣକ ଭେଙ୍କଟେଶଙ୍କୁ କହୁଥିବା ଶୁଣାଯାଉଛି ।

କଂଗ୍ରେସ ମୁଖପାତ ଖେରା କହିଛନ୍ତି ଯେ, ତେଜସ୍ୱୀ ମଧ୍ୟ ଉକ୍ତ ଘରୋଇ ହସ୍ପିଟାଲ ପ୍ରତି ଅହେତୁକ ଅନୁକମ୍ପା ପ୍ରଦର୍ଶନ କରୁଛନ୍ତି ଓ ସେହି ହସ୍ପିଟାଲର ପ୍ରଚାର କରୁଛନ୍ତି । ସେହି ହସ୍ପିଟାଲରେ ଟିକା ନେବାକୁ ସେ ଲୋକଙ୍କୁ କହୁଛନ୍ତି ବୋଲି ଖେରା ଅଭିଯୋଗ କରିଛନ୍ତି । ସାମ୍ପ୍ରତିକ କଠିନ ପରିସ୍ଥିତିରେ ବିଜେପିର ଏଭଳି ଲାଭଖୋର ମନୋବୃତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଏହା ଏକ ଗମ୍ଭୀର ବିଷୟ ବୋଲି ସେ ଅଭିଯୋଗ କରି ତେଜସ୍ୱୀ ଓ ତାଙ୍କ କକା ସୁବ୍ରମଣ୍ୟମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି । ସୁବ୍ରମଣ୍ୟମ କର୍ଣ୍ଣାଟକର ବାସଭାନାଗୁଡିରୁ ବିଧାୟକ ଅଛନ୍ତି ଏବଂ ତାଙ୍କ ପୁତୁରା ତେଜସ୍ୱୀ ହେଉଛନ୍ତି ବେଙ୍ଗାଲୁରୁ ସାଉଥ୍‌ର ବିଜେପି ସାଂସଦ ।

କଂଗ୍ରେସର ଅଭିଯୋଗକୁ କିନ୍ତୁ ସୁବ୍ରମଣ୍ୟମ ଖଣ୍ଡନ କରିଛନ୍ତି । ଭାଇରାଲ ଅଡ଼ିଓ କ୍ଲିପ୍ ନେଇ ବିବାଦ ସୃଷଟି ହେବା ପରେ ସେ ଉକ୍ତ ହସ୍ପିଟାଲକୁ ଯାଇଥିଲେ । ଏହି ବିବାଦ ନେଇ ସେ ହସ୍ପିଟାଲ ମ୍ୟାନେଜମେଣ୍ଟ ନିକଟରେ ଅଭିଯୋଗ କରିଛନ୍ତି ବୋଲି ସୁବ୍ରମଣ୍ୟମ କହିଛନ୍ତି । ଅଡିଓ କ୍ଲିପ୍‌ରେ ଯେଉଁ ହସ୍ପିଟାଲ କଥା କୁହାଯାଇଛି, ତାହା ହୋସାକେରାହେଲିର ଏଭି ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ ବୋଲି ସୁବ୍ରମଣ୍ୟମ ଏକ ଟ୍ୱିଟ୍‌ରେ କହିଛନ୍ତି ।

Comments are closed.