ଉତ୍ତର ପ୍ରଦେଶ: ନଦୀରେ ପିଙ୍ଗାଯାଉଛି କୋଭିଡ୍ ରୋଗୀଙ୍କ ମୃତଦେହ, ଭାଇରାଲ ହେଲା ଭିଡିଓ

ବଳରାମପୁର: ଗଙ୍ଗା ନଦୀରେ ହଜାର ହଜାର କୋଭିଡ୍ ରୋଗୀଙ୍କ ଶବ ଭାସିବା ଘଟଣା ପରେ ଏବେ ଉତ୍ତର ପ୍ରଦେଶର ଆଉ ଏକ ଦୃଶ୍ୟ ଲୋକଙ୍କ ମନକୁ ଆନ୍ଦୋଳିତ କରିଛି । ଉତ୍ତର ପ୍ରଦେଶ ବଳରରାମପୁର ଜିଲ୍ଲାରେ ଜଣେ କୋଭିଡ୍ ରୋଗୀଙ୍କ ମୃତଦେହକୁ ବ୍ରିଜ୍ ଉପରୁ ନଦୀକୁ ଫିଙ୍ଗା ଯିବାର ଭିଡିଓ ସାମ୍ନାକୁ ଆସିଛି ।
ଭାଇରାଲ ଭିଡିଓରେ ଦୁଇ ଜଣ ଯୁବକ ବ୍ରିଜ୍ ଉପରୁ ଏକ ଶବ ଉଠାଇ ରାପ୍ତି ନଦୀକୁ ଫିଙ୍ଗୁଛନ୍ତି । ସେତେବେଳେ ସେହି ବ୍ରିଜ୍ ଦେଇ ଯାଉଥିବା ଜଣେ ବ୍ୟକ୍ତି ଏହି ଘଟଣାର ଭିଡିଓ କରିଥିଲେ । ଏହି ଘଟଣା ଭାଇରାଲ ହେବା ପରେ ସାଧାରଣରେ ଆଲୋଡ଼ନ ସୃଷ୍ଟି ହୋଇଛି ।

ରାପ୍ତି ନଦୀକୁ ଫିଙ୍ଗାଯାଇଥିବା ଶବ ଜଣେ କୋଭିଡ୍ ରୋଗୀର ବୋଲି ବଳରାମପୁର ଜିଲ୍ଲାର ମୁଖ୍ୟ ଚିକିତ୍ସାଧିକାରୀ ସ୍ପଷ୍ଟ କରିଛନ୍ତି । ମୃତ କୋଭିଡ୍ ରୋଗୀର ସମ୍ପର୍କୀୟମାନେ ଶବକୁ ନଦୀରେ ପିଙ୍ଗୁଥିଲେ ବୋଲି ସେ କହିଛନ୍ତି । ଏନେଇ କୋତବାଲି ଥାନାରେ ଏକ ମାମଲା ରୁଜୁ କରାଯାଇଛି । ଏହି ଘଟଣାର ତଦନ୍ତ ଜାରି ରହିଛି ବୋଲି ସେ କହିଛନ୍ତି ।

ନଦୀରେ କୋଭିଡ୍ ରୋଗୀଙ୍କ ଶବ ନ ଫିଙ୍ଗିବାକୁ କେନ୍ଦ୍ରର ତାଗିଦ୍ ସତ୍ତ୍ୱେ ଉତ୍ତର ପ୍ରଦେଶ ଓ ବିହାର ଭଳି ରାଜ୍ୟରେ ଏଭଳି ଘଟଣା ଏବେ ବି ଘଟୁଛି । ଏହା ଦ୍ୱାରା ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି ।

Comments are closed.