ମଣିଷ ଦେହରେ ବାର୍ଡ ଫ୍ଲୁ ଷ୍ଟ୍ରେନ୍‌, ଚୀନ୍‌ରେ ଠାବ ହେଲା ପ୍ରଥମ ମାମଲା

ବେଜିଂ: ଚୀନ୍‌ରେ ଜଣେ ବ୍ୟକ୍ତିଙ୍କ ଠାରେ ଏଚ୍‌୧୦ଏନ୍‌୩ ବାର୍ଡ ଫ୍ଲୁ ଷ୍ଟ୍ରେନ୍ ଠାବ ହୋଇଛି । ଏହି ଷ୍ଟ୍ରେନ୍‌ର ବାର୍ଡ ଫ୍ଲୁ ଭୂତାଣୁ ମଣିଷ ଶରୀରରେ ମିଳିବା ଏହା ପ୍ରଥମ ଘଟଣା । ପୂର୍ବ ଚୀନ୍‌ର ଜିଆଙ୍ଗ୍‌ସୁ ପ୍ରଦେଶରେ ଏହି ମାମଲା ସାମ୍ନାକୁ ଆସିଛି ।

ଜିଆଙ୍ଗ୍‌ସୁର ଝେନିଜାଙ୍ଗ୍ ସହରର ଜଣେ ୪୧ ବର୍ଷୀୟ ବ୍ୟକ୍ତି ଏଚ୍‌୧୦ଏନ୍‌୩ ବାର୍ଡ ଫ୍ଲୁ ଷ୍ଟ୍ରେନ୍ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି ବୋଲି ଚୀନ୍‌ର ସରକାରୀ ଚ୍ୟାନେଲ ସିଜିଟିଏନ୍ କହିଛି ।

ଉକ୍ତ ବ୍ୟକ୍ତି ଜଣକ ମେ ୨୮ରେ ସଂକ୍ରମିତ ହୋଇଥିଲେ । ତେବେ ସେ କେମିତି ବାର୍ଡ ଫ୍ଲୁରେ ସଂକ୍ରମିତ ହେଲେ ସେନେଇ ଚୀନ୍‌ର ନ୍ୟାସନାଲ ହେଲ୍‌ଥ କମିଶନ ପକ୍ଷରୁ କିଛି ବିସ୍ତୃତ ତଥ୍ୟ ଦିଆଯାଇ ନାହିଁ ।

ବିଶ୍ୱର କେଉଁଠି ବି ପୂର୍ବରୁ ଏଚ୍‌୧୦ଏନ୍‌୩ ମଣିଷକୁ ବ୍ୟାପିବାର ଦୃଷ୍ଟାନ୍ତ ନଥିଲା । ବାର୍ଡ ଫ୍ଲୁ ଭୂତାଣୁ ମଧ୍ୟରୁ ଏଚ୍‌୧୦ଏନ୍‌୩ ଷ୍ଟ୍ରେନ୍‌ର ତୀବ୍ରତା ଅପେକ୍ଷାକୃତ କମ୍ ଏବଂ ଏହି ଷ୍ଟ୍ରେନ୍ ମଧ୍ୟ ସେଭଳି ସଂକ୍ରମଣଶୀଳ ନୁହେଁ ।

Comments are closed.