ଆଲାପନ ବନ୍ଦୋପାଧ୍ୟାୟଙ୍କୁ କେନ୍ଦ୍ରର କାରଣ ଦର୍ଶାଅ ନୋଟିସ୍‌

‌ନୂଆଦିଲ୍ଲୀ: ଆଦେଶ ସତ୍ତ୍ୱେ ଦିଲ୍ଲୀରେ ନିଜ କାର୍ଯ୍ୟରେ ଯୋଗ ଦେଇନଥିବାରୁ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟ ସଚିବ ଆଲାପନ ବନ୍ଦୋପାଧ୍ୟାୟଙ୍କୁ କେନ୍ଦ୍ର ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ତିନି ଦିନ ମଧ୍ୟରେ ଏହି ନୋଟିସ୍‌ର ଜବାବ ଦେବାକୁ ତାଙ୍କୁ କୁହାଯାଇଛି । ବନ୍ଦୋପାଧ୍ୟାୟଙ୍କୁ ସୋମବାର ସୁଦ୍ଧା ଦିଲ୍ଲୀରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ପୁଣି ମଙ୍ଗଳବାର ତାଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଥିଲା ।

ତିନି ଦିନ ମଧ୍ୟରେ ଯଦି କେନ୍ଦ୍ରର କାରଣ ଦର୍ଶାଅ ନୋଟିସ୍‌ର ଉତ୍ତର ନ ଦିଅନ୍ତି, ତେବେ ଆଲାପନ ବନ୍ଦୋପାଧ୍ୟାୟଙ୍କ ବିରୋଧରେ ଏଫ୍‌ଆଇଆର ବି ରୁଜୁ ହୋଇପାରେ । ମହାମାରୀ ଆଇନର ଧାରା ୫୧ (ବି) ଅଧୀନରେ ବନ୍ଦୋପାଧ୍ୟାୟଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ।
ବନ୍ଦୋପାଧ୍ୟାୟଙ୍କୁ କେନ୍ଦ୍ରକୁ ବଦଳି ହୋଇଥିଲେ ବି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କୁ ଛାଡ଼ିବାକୁ ରାଜି ହୋଇନଥିଲେ । ବନ୍ଦୋପାଧ୍ୟାୟଙ୍କୁ ଦିଲ୍ଲୀ ଡାକରା ନୋଟିସ୍ ପ୍ରତ୍ୟାହାର କରିବାକୁ ସେ ଚିଠି ଲେଖି କେନ୍ଦ୍ରକୁ ନିବେଦନ କରିଥିଲେ । ତେବେ ନାଟକୀୟ ଢ଼ଙ୍ଗରେ ସୋମବାର ବନ୍ଦୋପାଧ୍ୟାୟ ଚାକିରିରୁ ଅବସର ଗ୍ରହଣ କରିଥିଲେ । ଅବସର ପରେ ତାଙ୍କୁ ମମତା ନିଜର ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତ କରିଥିଲେ । ବନ୍ଦୋପାଧ୍ୟାୟଙ୍କ କାର୍ଯ୍ୟକାଳ ମେ ୩୧ରେ ହିଁ ସରୁଥିଲା । ହେଲେ ରାଜ୍ୟର ଅନୁରୋଧ କ୍ରମେ କେନ୍ଦ୍ର ସରକାର ତାଙ୍କର କାର୍ଯ୍ୟକାଳ ଆଉ ୩ ମାସ ବଢ଼ାଇଥିଲେ । କିନ୍ତୁ ବନ୍ଦୋପାଧ୍ୟାୟ ତାଙ୍କର ପ୍ରକୃତ ଅବସର ତାରିଖ ଅର୍ଥାତ୍ ମେ ୩୧ରେ ଚାକିରି ଛାଡ଼ିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା ବୈଠକରେ ମମତା ଓ ବନ୍ଦୋପାଧ୍ୟାୟ ବିଳମ୍ବରେ ପହଞ୍ଚିବା ନେଇ ବିବାଦ ସୃଷ୍ଟି ହୋଇଥିଲା । ସେହିଦିନ ହିଁ କେନ୍ଦ୍ର ପକ୍ଷରୁ ବନ୍ଦୋପାଧ୍ୟାୟଙ୍କୁ ଦିଲ୍ଲୀ ଫେରାଇ ଅଣାଯିବାକୁ ଆଦେଶନାମା ଜାରି ହୋଇଥିଲା ।

Comments are closed.