ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ ନେଇ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକେର୍ଟରେ ଚ୍ୟାଲେଞ୍ଜ୍

ନୂଆଦିଲ୍ଲୀ: ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି । କୋଭିଡ୍‌ର ଦ୍ୱିତୀୟ ଲହରୀ ମଧ୍ୟରେ ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ କାର୍ଯ୍ୟ ଉପରେ ରୋକ୍ ଲଗାଇବା ପାଇଁ ହୋଇଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଥିଲେ । ହାଇକୋର୍ଟ କହିଥିଲେ ଯେ, ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ ଏକ ଗୁରୁତ୍ୱପୂର୍ଣ୍ଣ ଜାତୀୟ ପରିଯୋଜନା । ଏହାର କାର୍ଯ୍ୟ ଜାରି ରହିବ । ଏହା ବିରୋଧରେ ଆବେଦନକୁ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହି ହାଇକୋର୍ଟ ଆବେଦନକାରୀଙ୍କ ଉପରେ ଏକ ଲକ୍ଷ ଟଙ୍କା ଜରିମାନା ଲଗାଇଥିଲେ ।

ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ପ୍ରଦୀପ କୁମାର ଯାଦବ ନାମକ ଜଣେ ଓକିଲ ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଛନ୍ତି । ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ ବିରୋଧରେ ଆବେଦନକୁ ହାଇକୋର୍ଟ ଉଦ୍ଦେଶ୍ୟ ପ୍ରଣୋଦିତ କହିବା ଠିକ୍ ହୋଇନାହିଁ ବୋଲି ଯାଦବ ତାଙ୍କ ପିଟିସନରେ ଦର୍ଶାଇଛନ୍ତି । କୋଭିଡ୍ ମହାମାରୀ ମଧ୍ୟରେ ଏତେ ସଂଖ୍ୟକ ଶ୍ରମିକଙ୍କୁ ନେଇ ଏଭଳି ଏକ ବଡ଼ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଯୋଗୁଁ ସ୍ୱାସ୍ଥ୍ୟ ସଙ୍କଟ ସୃ୍‌ଷ୍ଟି ହେବା ଆଶଙ୍କାକୁ ହାଇକୋର୍ଟ ଅଣଦେଖା କରିଛନ୍ତି ବୋଲି ସେ କହିଛନ୍ତି ।
ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ ଅଧୀନରେ ପ୍ରାୟ ୨୦ହଜାର କୋଟି ବ୍ୟୟରେ ଏକ ନୂଆ ସଂସଦ ଭବନ ସହ ପ୍ରଧାନମନ୍ତ୍ରୀଙ୍କ ନୂତନ ବାସଭବନ ଏବଂ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟ ନିର୍ମାଣ ହେବ ।

Comments are closed.