କୋଭିଡ୍ ଔଷଧ ମହଜୁଦ୍ ରଖିବା ମାମଲାରେ ଗୌତମ ଗମ୍ଭୀର ଫାଉଣ୍ଡେସନ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ଅନଧିକୃତ ଭାବେ ‘ଫାଭିଫ୍ଲୁ’ ଭଳିି କୋଭିଡ୍ ଔଷଧ କିଣି ମହଜୁଦ୍ ରଖିବା ଓ ସେଗୁଡିକ ଲୋକଙ୍କୁ ବଣ୍ଟନ କରିବା ପାଇଁ ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କ ସଂସ୍ଥା ‘ଗୌତମ ଗମ୍ଭୀର ଫାଉଣ୍ଡେସନ’ ଦୋଷୀ ସାବ୍ୟସ୍ତ ହୋଇଛି । ଦିଲ୍ଲୀ ସରକାରଙ୍କ ଡ୍ରଗ୍ସ ନିୟନ୍ତ୍ରକ ଆଜି ହାଇକୋର୍ଟଙ୍କୁ ଏହା ଜଣାଇଛନ୍ତି । ଗୌତମ ଗମ୍ଭୀର ଫାଉଣ୍ଡେସନ ବିରୋଧରେ ଅବିଳମ୍ବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଡ୍ରଗ୍ସ ନିୟନ୍ତ୍ରକ କୋର୍ଟଙ୍କୁ କହିଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୯ରେ ହେବ ।

କୋଭିଡ୍ ଔଷଧ ମହଜୁଦ୍ ରଖିବା ଅଭିଯୋଗରେ ଆମ୍ ଆଦମୀ ପାର୍ଟି (ଆପ୍‌)ର ବିଧାୟକ ପ୍ରବୀଣ କୁମାରଙ୍କ ବିରୋଧରେ ମଧ୍ୟ ଡ୍ରାଗ୍ସ ଏବଂ କସମେଟିକ୍ସ ଆଇନ ଅନୁସାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ବୋଲି ଡ୍ରଗ୍ସ ନିୟନ୍ତ୍ରକ କୋର୍ଟଙ୍କୁ କହିଛନ୍ତି । ଛଅ ସପ୍ତାହ ମଧ୍ୟରେ ଏହି ମାମଲାରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ଦିଲ୍ଲୀ ହାଇକୋର୍ଟ ଡ୍ରଗ୍ସ ନିୟନ୍ତ୍ରକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଦ୍ୱିତୀୟ ଲହର ସଂକ୍ରମଣ ଶୀର୍ଷରେ ଥିବା ବେଳେ ‘ଫାଭିଫ୍ଲୁ’ ଭଳି କୋଭିଡ୍ ଔଷଧର ଅଭାବ ଦେଖା ଦେଇଥିଲା । ହେଲେ ଗୌତମ ଗମ୍ଭୀରଙ୍କ ଭଳି କିଛି ନେତା ଏହି ଔଷଧ ମହଜୁଦ ରଖି ଲୋକଙ୍କୁ ବାଣ୍ଟୁଥିବା ଦେଖିବାକୁ ମିଳିଥିଲା ।

ଏହି ମାମଲାର ତଦନ୍ତ ସଠିକ୍ କରିନଥିବାରୁ ମେ ୩୧ରେ ହାଇକୋର୍ଟ ଡ୍ରଗ୍ସ ନିୟନ୍ତ୍ରକଙ୍କୁ ଭର୍ତ୍ସନା କରିଥିଲେ । ଯଦି ତଦନ୍ତ ସଠିକ୍ କରିପାରୁ ନାହଁ, ତେବେ ଆମକୁ କୁହ । ଆମେ ତୁମକୁ ହଟାଇ ଆଉ ଜଣଙ୍କୁ ଏହି ଦାୟିତ୍ୱ ଦେବୁ ବୋଲି କୋର୍ଟ କହିଥିଲେ ।

Comments are closed.