କରୋନିଲ୍ ମାମଲାରେ ରାମଦେବଙ୍କୁ ଦିଲ୍ଲୀ ହାଇକୋର୍ଟର ନୋଟିସ୍‌

ନୂଆଦିଲ୍ଲୀ: ପତଞ୍ଜଳିର ‘କରୋନିଲ୍‌’ ଔଷଧର ପ୍ରଚାର ବିରୋଧରେ ଦିଲ୍ଲୀ ମେଡିକାଲ ଆସୋସିଏସନ୍ (ଡିଏମ୍‌ଏ) ଦ୍ୱାରା ଦାୟର କରାଯାଇଥିବା ଏକ ପିଟିସନର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ଯୋଗଗୁରୁ ରାମଦେବଙ୍କୁ ନୋଟିସ୍ ଜାରି କରିଛନ୍ତି । କୋଭିଡ୍ ରୋଗୀଙ୍କ ଚିକିତ୍ସାରେ କରୋନିଲ୍‌ର ଉପଯୋଗିତା ସମ୍ପର୍କରେ ରାମେଦବ ମିଛ ତଥ୍ୟ ଦେଉଛନ୍ତି । ତାଙ୍କୁ ଏଥିରୁ ବାରଣ କରାଯାଉ ବୋଲି ଡିଏମ୍‌ଏ ନିଜ ପିଟିସନରେ ନିବେଦନ କରିଥିଲା । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୩ରେ ହେବ । ସେ ପର୍ଯ୍ୟନ୍ତ ରାମେଦବଙ୍କୁ ଏହି ପ୍ରସଙ୍ଗରେ କୌଣସି ବିବାଦୀୟ ଟିପ୍ପଣୀ ନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏଲୋପାଥି ଉପରେ ରାମଦେବଙ୍କ ମନ୍ତବ୍ୟ ନେଇ ପୂର୍ବରୁ ଭାରତୀୟ ମେଡିକାଲ ଆସୋସିଏସନ୍ (ଆଇଏମ୍‌) ଏହି ବିବାଦୀୟ ଯୋଗଗୁରୁଙ୍କ ବିରୋଧରେ ଥାନରେ ଅଭିଯୋଗ ମଧ୍ୟ ଦେଇଥିଲା । ତା’ଛଡ଼ା ନିଃସର୍ତ୍ତ କ୍ଷମା ପ୍ରାର୍ଥନା ଦାବିରେ ରାମଦେବଙ୍କୁ ୧୦୦୦ କୋଟି ଟଙ୍କାର ମାନହାନୀ ନୋଟିସ୍ ବି ପଠାଇଥିଲା ଆଇଏମ୍‌ଏ ।

ଏଲୋପାଥିକ ଡାକ୍ତର ଓ ରାମଦେବଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି । ନିକଟରେ ରାମଦେବଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏଥିରେ ସେ ଏଲୋପାଥି ଚିକିତ୍ସା ଉପରେ ନକାରାତ୍ମକ ଟିପ୍ପଣୀ କରିଥିଲେ । ଏଲୋପାଥି ଏକ ମୁର୍ଖ ଓ ଦେବାଳିଆ ବିଜ୍ଞାନ । ଏଲୋପାଥିକ ଔଷଧ ଯୋଗୁଁ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯାଇଛି ରାମଦେବ କହିଥିଲେ । ତାଙ୍କର ଏଭଳି ମନ୍ତବ୍ୟକୁ ତୀବ୍ର ବିରୋଧ କରିଥିଲା ଭାରତୀୟ ମେଡିକାଲ ଆସୋସିଏସନ (ଆଇଏମ୍‌ଏ) । ପରେ କେନ୍ଦ୍ରମନ୍ତ୍ରୀ ହର୍ଷ ବର୍ଦ୍ଧନେ ଏଥିରେ ହସ୍ତକ୍ଷେପ କରିଥିଲେ । ସେ ରାମଦେବଙ୍କ ମନ୍ତବ୍ୟକୁ ଦୁର୍ଭାଗ୍ୟଜନକ ବୋଲି କହିବା ସହ ତାଙ୍କୁ ଏଭଳି ମନ୍ତବ୍ୟ ପ୍ରତ୍ୟାହାର କରିବାକୁ କହିଥିଲେ ।

Comments are closed.