ବର୍ଷେ ହେଲା ଦରମା ନେଇ ନାହାନ୍ତି ମୁକେଶ ଅମ୍ବାନି

ନୂଆଦିଲ୍ଲୀ: ଭାରତର ସବୁଠୁ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନି ଗତ ଏକ ବର୍ଷ ଧରି ନିଜ କମ୍ପାନିରୁ ଦରମା ଗ୍ରହଣ କରିନାହାନ୍ତି । ୩୧ ମାର୍ଚ୍ଚରେ ଶେଷ ହୋଇଥିବା ଆର୍ଥିକ ବର୍ଷରେ ସେ ଥରୁଟିଏ ବି ଦରମା ନେଇ ନାହାନ୍ତି । କୋଭିଡ୍‌-୧୯ କାରଣରୁ ବ୍ୟବସାୟ ଓ ଦେଶର ଅର୍ଥନୀତି ପ୍ରଭାବିତ ହୋଇଥିବାରୁ ମୁକେଶ ଅମ୍ବାନି ନିଜ ଦରମା ଛାଡ଼ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ରିଲାଏନ୍ସର ବାର୍ଷିକ ରିପୋର୍ଟରେ କୁହାଯାଇଛି ଯେ, ୨୦୨୦-୨୧ରେ ଅମ୍ବାନିଙ୍କ ପାରିଶ୍ରମିକ ‘ଶୂନ’ ଥିଲା । ତା’ ପୂର୍ବ ବର୍ଷ ଅମ୍ବାନିଙ୍କୁ ୧୫ କୋଟି ଟଙ୍କା ଦରମା ମିଳିଥିଲା । ଗତ ୧୫ ବର୍ଷ ଧରି ତାଙ୍କ ଦରମା ଅପରିବର୍ତ୍ତିତ ରହିଛି ।

ଗତ ଆର୍ଥିକ ବର୍ଷରେ ଅମ୍ବାନିଙ୍କ ସମ୍ପର୍କୀୟ ଭାଇ ନିଖିଲ ଓ ହିତଲ ମେସୱାନି ଦରମା ମଧ୍ୟ ୨୪ କୋଟି ଟଙ୍କାରେ ଅପରିବର୍ତ୍ତିତ ରହିଛି । ତେବେ ଚଳିତ ଥର ସେମାନଙ୍କ ଦରମାରେ ୧୭.୨୮ କୋଟି କମିଶନ ସାମିଲ ଥିଲା । ରିଲାଏନ୍ସ ବାର୍ଷିକ ରିପୋର୍ଟ ଅନୁସାରେ କମ୍ପାନୀର କାର୍ଯ୍ୟକାରୀ ନିର୍ଦ୍ଦେଶକ ପିଏମ୍ ପ୍ରସାଦ ଓ ପବନ କୁମାର କପିଳଙ୍କୁ ଏଥର ବର୍ଦ୍ଧିତ ପାରିଶ୍ରମିକ ମିଳିଛି । ପ୍ରସାଦଙ୍କୁ ୨୦୨୦-୨୧ ପାଇଁ ୧୧.୯୯ କୋଟି ବେତନ ମିଳିଥିଲା । ତା ପୂର୍ବ ବର୍ଷ ସେ ୧୧.୧୫ କୋଟି ପାଇଥିଲେ । ଅନ୍ୟପକ୍ଷେ କପିଳ ଏଥର ବେତନ ଭାବେ ୪.୨୪ କୋଟି ପାଇଛନ୍ତି । ୨୦୧୯-୨୦ରେ ସେ କପିଳଙ୍କୁ ୪.୦୪ କୋଟି ମିଳିଥିଲା ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଣ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଥିବା ମୁକେଶ ଅମ୍ବାନିଙ୍କ ପତ୍ନୀ ନୀତା ଏଥର ୮ ଲକ୍ଷ ଦରମା ଓ ୧.୬୫ କୋଟି ଟଙ୍କା କମିଶନ ଭାବେ ପାଇଛନ୍ତି ।

Comments are closed.