ସେବା ପାଇଁ ତତ୍ପର ନିଃସ୍ୱାର୍ଥପର ସେବକ

ସେମାନେ ମାନବିକତାର ଦୂତ। ସେବା ପାଇଁ ତତ୍ପର ଥିବା ନିଃସ୍ୱାର୍ଥପର ଭାବନାରେ ପରିପୂର୍ଣ୍ଣ ସେଚ୍ଛାସେବୀ। ଯେଉଁଠି ଅନ୍ୟମାନେ ପାଖ ମାଡ଼ିବାକୁ ଭୟ କରୁଛନ୍ତି, ସେଠି ଏଇ ସ୍ବେଚ୍ଛାସେବୀମାନେ ନିଜକୁ ବିପଦ ଆଗରେ ଆହ୍ବାନ ଭଳି ଠିଆ କରି ଅସହାୟଙ୍କ ପାଇଁ ସେବକ ରୂପେ ଛିଡ଼ା ହେଉଛନ୍ତି। ବଢ଼ାଇ ଦେଉଛନ୍ତି ସହାୟତାର ହାତ। ସେ କାହାର ଚିକିତ୍ସା ହେଉ କି ମଲା ପରେ ଅନ୍ତିମ ସଂସ୍କାର, ଭୋକିଲାର ପେଟକୁ ଦାନା ଦେବା କଥା ହେଉ ବା ଅପରିଚିତଙ୍କ ଜୀବନକୁ ସୁଧାରି ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାର ପ୍ରୟାସ ହେଉ, ନିଜକୁ ସାମାଜିକ ସେବା କାର୍ଯ୍ୟରେ ଆଗରେ ରଖି ଆସିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ସ୍ବେଚ୍ଛାସେବୀ ତଥା ସାମାଜିକ କାର୍ଯ୍ୟକର୍ତ୍ତାଙ୍କ ଭିନ୍ନ ଏକ ସଙ୍ଗଠନ ହେଲପିଙ୍ଗ୍ ହ୍ୟାଣ୍ଡସ୍ ଭଞ୍ଜନଗର (ଏଚଏଚବି)।

ଏଇ ଅଳ୍ପ ଦିନ ତଳର କଥା। ଭଞ୍ଜନଗର ନିକଟସ୍ଥ କୁଲାଡ଼ ଗାଁର ଜଣେ ମହିଳା ବ୍ରହ୍ମପୁର ଏମ୍‌କେସିଜି ଡାକ୍ତରଖାନାରେ ଅଣ-କୋଭିଡ୍ ରୋଗ ସକାଶେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। କରୋନାର ଘଡ଼ିସନ୍ଧି ମୁହୁର୍ତ୍ତରେ ସଂକ୍ରମଣ ଭୟରେ ଗାଁ ଲୋକ ମହିଳାଙ୍କ ଅନ୍ତିମ ସଂସ୍କାରରେ ସହଯୋଗ କରିବା ତ ଦୂରର କଥା, ଗାଁରେ ମୃତଦେହକୁ ପୁରାଇ ଦେଲେନି। ଏଥିରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ ମହିଳାଙ୍କ ପରିବାର ଲୋକ। ଉପାୟଶୂନ୍ୟ ଓ ହତବାକ ହୋଇ ପଡ଼ିଥିଲେ। ତେବେ କୌଣସିମତେ ଏହି ଖବର ଏଚଏଚବି କର୍ମକର୍ତ୍ତାଙ୍କ ପାଖରେ ପହଞ୍ଚିଥିଲା। ଆଉ ଯଥାଶୀଘ୍ର ନିଜ ସଙ୍ଗଠନର ନାମକୁ ସାର୍ଥକ କରି ମହିଳାଙ୍କ ଅନ୍ତିମ ସଂସ୍କାର ପାଇଁ ସହାୟତାର ହାତ ବଢ଼ାଇଥିଲେ ସେଚ୍ଛାସେବୀଗଣ। ପରିବାର ଲୋକଙ୍କ ଉପସ୍ଥିତିରେ ଶେଷକୃତ୍ୟ ସୁରୁଖୁରୁରେ ସମ୍ପନ୍ନ କରାଇଥିଲେ। ଦୁର୍ଦ୍ଦିନରେ ଶୋକସନ୍ତପ୍ତ ପରିଜନଙ୍କ ପାଖରେ ସ୍ବତଃପ୍ରବୃତ୍ତ ଭାବେ ଉପସ୍ଥିତ ରହି ସମବେଦନା ଜଣାଇଥିଲେ।

ରୋଜଗାର ଦୃଷ୍ଟିରୁ ଆତ୍ମନିର୍ଭରଶୀଳ କେତେଜଣ ସ୍ଵେଚ୍ଛାସେବୀ ପରୋପକାର ଭାବନା ସହ ୩ ବର୍ଷ ତଳେ ଗଠନ କରିଥିଲେ ହେଲପିଙ୍ଗ୍ ହ୍ୟାଣ୍ଡସ୍ ଭଞ୍ଜନଗର । ପ୍ରଚାରବିମୁଖ ଏଚଏଚବି କାର୍ଯ୍ୟକର୍ତ୍ତାଙ୍କ ବିଭିନ୍ନ ସେବା କାର୍ଯ୍ୟର ତାଲିକା ବେଶ୍ ଲମ୍ବା। ସମାଜର ଅସହାୟ, ଗରିବ, ଦୁର୍ଦ୍ଦଶାରେ ଦିନ କାଟୁଥିବା ଲୋକଙ୍କ ସହାୟତା ଲାଗି ସଦା ତତ୍ପରତା ପ୍ରକାଶ କରି ଆସିଛନ୍ତି ଏହି ସେଚ୍ଛାସେବୀଗଣ। ଅନ୍ୟର ସଙ୍କଟ ହେଉ କିମ୍ବା ସମାଜ ସମ୍ମୁଖୀନ ହେଉଥିବା ପ୍ରାକୃତିକ ବା ମହାମାରୀର ବିପତ୍ତି ହେଉ, ନିରବରେ ନିଜ କାର୍ଯ୍ୟ କରି ଆସୁଛନ୍ତି ସେମାନେ। କରୋନା ଦ୍ବିତୀୟ ଲହରୀରେ ଏଯାବତ୍ ୧୦ରୁ ଅଧିକ ଅନ୍ତିମ ସଂସ୍କାର କରାଇଲେଣି। ଏମାନଙ୍କ ଲାଗି ତୃଣମୂଳସ୍ତରରେ ମହାମାରୀ ବିରୋଧୀ ଲଢ଼େଇକୁ ବଳ ମିଳୁଛି କହିଲେ ଅତ୍ୟୁକ୍ତି ହେବନି। ପ୍ରଶାସନକୁ ସହଯୋଗ କରିବା ଭଳି ଦୈନିକ ପ୍ରାୟ ଶତାଧିକ ଗରିବ, ଭିକ୍ଷୁକ, ବୃଦ୍ଧବୃଦ୍ଧା ଓ ଅସହାୟଙ୍କ ପେଟକୁ ଦାନା ଯୋଗାଇ ଦେଉଛନ୍ତି। ମାନସିକ ବିକୃତଙ୍କୁ ଯେତେବେଳେ ଅନ୍ୟମାନେ ଦୂରଦୂର ମାରଧର କରୁଛନ୍ତି, ସେତେବେଳେ ଏଚଏଚବି ସଦସ୍ୟଗଣ ସେମାନଙ୍କୁ ଗାଧୋଇ, ଦାଢ଼ି ବାଳ କାଟି ଓ ଭଲ ପୋଷାକ ପିନ୍ଧାଇ କେବଳ ଶାରୀରିକ ରୂପକୁ ସୁଧାରୁ ନାହାରି ବରଂ ସେମାନଙ୍କୁ ସମ୍ମାନର ସହ ଏଇ ସମାଜରେ ଜୀଇଁବା ପାଇଁ ସୁଯୋଗ ଦେଉଛନ୍ତି। ଯେଉଁମାନଙ୍କୁ ନିହାତି ଦରକାର ଅଥଚ ସେମାନେ କୌଣସି କାରଣରୁ ଯୋଗାଡ଼ କରିବାକୁ ଅସମର୍ଥ ସେମାନଙ୍କୁ ଔଷଧ, ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇ ଦେଉଛି ଏଚଏଚବି।

ସଙ୍ଗଠନର ଜଣେ ପ୍ରମୁଖ ସଦସ୍ୟ ପ୍ରଶାନ୍ତ ପ୍ରଧାନଙ୍କୁ କହିବା ପ୍ରକାରେ- ଆମେ ହେଉଛୁ ସେଚ୍ଛାସେବୀମାନଙ୍କ ଏଭଳି ଏକ ସଙ୍ଗଠନ, ଯେଉଁମାନେ ଆର୍ଥିକ ଦୁର୍ବଳ ଓ ଅସହାୟ ଲୋକଙ୍କ ସହାୟତା କରିବା ସକାଶେ ନିଜ ମନୋବୃତ୍ତିରୁ ଏକତ୍ରିତ ହୋଇଛୁ। ବାସ୍ତବରେ ଯେତେବେଳେ କରୋନା ମହାମାରୀ ସମଗ୍ର ବିଶ୍ୱର ମାନବ ସମାଜ ପାଇଁ ଏକ ବଡ଼ ଆହ୍ବାନ ସୃଷ୍ଟି କରିଛି, ସେତେବେଳେ ନିଜ ଅଞ୍ଚଳରେ ବିଭିନ୍ନ ସାମାଜିକ ସେବା କାର୍ଯ୍ୟ ଜରିଆରେ ମଣିଷ ପଣିଆକୁ ଉଚ୍ଚସ୍ଥାନରେ ତିଷ୍ଠି ରଖିବାରେ ସହାୟକ ହୋଇ ଆସୁଛନ୍ତି ହେଲ୍‌ପିଙ୍ଗ ହ୍ୟାଣ୍ଡସ୍ ଭଞ୍ଜନଗର ଗୋଷ୍ଠୀ। ଏମାନଙ୍କୁ ଶତ ଶତ ଧନ୍ୟବାଦ, ହୃଦୟରୁ ସାଲ୍ୟୁଟ୍।

Comments are closed.