ବ୍ରିଟେନରେ ୧୨-୧୫ ବର୍ଷର ପିଲାଙ୍କୁ ଦିଆଯିବ ଫାଇଜର ଟିକା

ଲଣ୍ଡନ: ବ୍ରିଟେନରେ ୧୨ରୁ ୧୫ ବର୍ଷ ବୟସର ପିଲାମାନଙ୍କୁ ଫାଇଜର ଓ ବାୟୋଏନ୍‌ଟେକ ଦ୍ୱାରା ବିକଶିତ କୋଭିଡ୍‌-୧୯ ଟିକା ଦିଆଯିବ । ଏଥିପାଇଁ ବ୍ରିଟେନର ଔଷଧ ନିୟନ୍ତ୍ରକ ମଞ୍ଜୁରି ଦେଇଛନ୍ତି । ଗଭୀର ସମୀକ୍ଷା ପରେ ୧୨-୧୫ ବର୍ଷ ବୟସବର୍ଗର ପିଲାମାନଙ୍କୁ ଏହି ଟିକା ଦେବା ପାଇଁ ନିଷ୍ପତ୍ତି ହୋଇଛି । ଏହି ବୟସବର୍ଗର ପିଲାଙ୍କ ପାଇଁ ଫାଇଜର-ବାୟୋଏନଟେକ୍ ଟିକା ସୁରକ୍ଷିତ ବୋଲି ବ୍ରିଟେନର ଔଷଧ ନିୟନ୍ତ୍ରକ କହିଛନ୍ତି ।

ୟୁରୋପୀୟ ମେଡିସିନ୍ ଏଜେନ୍ସି (ଇଏମ୍‌ଏ) ଫାଇଜର ଓ ବାୟୋଏନଟେକ୍ ଦ୍ୱାରା ପ୍ରସ୍ତୁତ କୋଭିଡ୍ ଟିକାକୁ ୧୨ ରୁ ୧୫ ବର୍ଷର ପିଲାଙ୍କୁ ଦେବା ପାଇଁ ଗତ ମାସରେ ହିଁ ସୁପାରିସ କରିଥିଲା । ଫାଇଜର ଟିକାକୁ ପ୍ରଥମେ ୟୁରୋପୀୟ ସଂଘ ପକ୍ଷରୁ ମଞ୍ଜୁରି ମିଳିଥିଲା । ଡିସେମ୍ବରରେ ୧୬ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ଏହି ଟିକା ଲଗାଇବାକୁ ଲାଇସେନ୍ସ ପ୍ରଦାନ କରାଯାଇଥିଲା ।

ପୂର୍ବରୁ କାନାଡା ଓ ଆମେରିକାରେ ମଧ୍ୟ ୧୨ରୁ ଊର୍ଦ୍ଧ୍ୱ ବୟସ୍କ ପିଲାଙ୍କୁ ଫାଇଜର ଟିକା ଦେବାକୁ ଅନୁମତି ମିଳିଛି । ଆମେରିକାରେ ୨୦୦୦ ପିଲାଙ୍କୁ ନେଇ ହୋଇଥିବା ଏକ ଟ୍ରାଏଲରେ ଫାଇଜର ଟିକା ପ୍ରଭାବୀ ଓ ସୁରକ୍ଷିତ ସାବ୍ୟସ୍ତ ହୋଇଥିଲା ।

Comments are closed.