ସ୍ପୁଟନିକ୍‌-ଭି ଟିକା ଉତ୍ପାଦନ ପାଇଁ ସେରମ୍‌କୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ରୁଷୀୟ କୋଭିଡ୍ ଟିକା ସ୍ପୁଟନିକ୍‌-ଭିର ଉତ୍ପାଦନ କରିବ ସେରମ୍ ଇନଷ୍ଟିଚ୍ୟୁଟ୍ । ଏଥିପାଇଁ ସେରମ୍‌କୁ ଆଜି ଭାରତୀୟ ଔଷଧ ନିୟନ୍ତ୍ରକ (ଡିସିଜିଆଇ)ଙ୍କ ଠାରୁ ସର୍ତ୍ତମୂଳକ ଅନୁମତି ମିଳିଛି । ଭାରତରେ ସ୍ପୁଟନିକ୍‌-ଭିର ଅଧ୍ୟୟନ, ପରୀକ୍ଷଣ ଏବଂ ବିଶ୍ଲେଷଣ ସହ ଏହି ଟିକାର ଉତ୍ପାଦନ ପାଇଁ ସେରମ୍‌କୁ ମଞ୍ଜୁରି ପ୍ରଦାନ କରିଛନ୍ତି ଡିସିଜିଆଇ ।

ରୁଷର ଗେମାଲିଆ ରିସର୍ଚ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏପିଡେମିଓଲୋଜି ଆଣ୍ଡ୍ ମାଇକ୍ରୋବାୟୋଲୋଜିର ସହଭାଗିତାରେ ସେରମ୍ ନିଜର ଲାଇସେନ୍ସ ପ୍ରାପ୍ତ ହଡପସର କେନ୍ଦ୍ରରେ ସ୍ପୁଟନିକ-ଭି ଟିକା ପ୍ରସ୍ତୁତ କରିବ ।

ସ୍ପୁଟନିକ-ଭି ଟିକା ପ୍ରସ୍ତୁତ କରିବା ପାଇଁ ସେରମ୍ ଗୁରୁବାର ଡିସିଜିଆଇଙ୍କ ଅନୁମତି ଲୋଡିଥିଲା । ପୁଣେ ସ୍ଥିତ ଏହି କମ୍ପାନୀ ପୂର୍ବରୁ ଆଷ୍ଟ୍ରାଜେନେକା ସହ ମିଶି ଭାରତରେ ‘କୋଭିଶିଲ୍ଡ’ ଟିକା ଉତ୍ପାଦନ କରୁଛି । ଏହାଛଡା ସେରମ୍ ଆଉ ଏକ ଟିକା ‘କୋଭାଭାକ୍ସ’ର ବି ପ୍ରସ୍ତୁତ କରୁଛି । ଏହା ଏବେ ଟ୍ରାଏଲ୍ ପର୍ଯ୍ୟାୟରେ ଅଛି ।

Comments are closed.