ଦିଲ୍ଲୀରେ କୋହଳ ହେବ କଟକଣା, ଯୁଗ୍ମ-ଅଯୁଗ୍ମ ସୂତ୍ରରେ ଖୋଲିବ ବଜାର, ମଲ୍‌, ୫୦% କ୍ଷମତାରେ ଚାଲିବ ମେଟ୍ରୋ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ କୋଭିଡ୍‌-୧୯ ସ୍ଥିତି ସୁଧୁରୁଥିବାରୁ କଟକଣା କୋହଳ କରାଯିବ ବୋଲି ଦିଲ୍ଲୀ ସରକାର ଘୋଷଣା କରିଛନ୍ତି । ସଂକ୍ରମଣ କମୁଥିବା ବେଳେ ଅନ୍‌୍‌ଲକ୍ ପ୍ରକ୍ରିୟା ଆରମ୍ଭ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ର କେଜ୍ରିୱାଲ କହିଛନ୍ତି । ଦିଲ୍ଲୀରେ ବଜାର, ସପିଂ ମଲ୍ ଯୁଗ୍ମ-ଅଯୁଗ୍ମ ଫର୍ମୁଲା ଭିତ୍ତିରେ ଖୋଲାଯିବ । କିନ୍ତୁ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନ ଗୁଡିକ ଦୈନିକ ସକାଳ ୧୦ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବ । ଇ-କମର୍ସ ଜରିଆରେ ହୋମ୍ ଡେଲିଭରିକୁ ମଧ୍ୟ ଅନୁମତି ଦିଆଯାଇଛି । ସେହିପରି ଦିଲ୍ଲୀ ମେଟ୍ରୋ ମଧ୍ୟ ୫୦ ପ୍ରତିଶତ କ୍ଷମତା ସହ ଚାଲିବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ର କେଜ୍ରିୱାଲ କହିଛନ୍ତି ।

କେଜ୍ରିୱାଲ କହିଛନ୍ତି ଯେ, ସବୁ ଘରୋଇ କାର୍ଯ୍ୟାଳୟ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଖୋଲାଯିବ । ତଥାପି କର୍ମଚାରୀଙ୍କୁ ଘରୁ କାମ କରିବା ପାଇଁ ବିକଳ୍ପ ଦିଆଯିବ । ସରକାରୀ ଅଫିସ୍‌ରେ ଗ୍ରେଡ୍‌-ଏ କର୍ମଚାରୀମାନେ ଶତ ପ୍ରତିଶତ ଉପସ୍ଥିତିରେ କାର୍ଯ୍ୟ କରିବେ । କିନ୍ତୁ ସେମାନଙ୍କ ଅଧସ୍ତନ କର୍ମଚାରୀଙ୍କ ଉପସ୍ଥିତି ୫୦ ପ୍ରତିଶତରେ ସୀମିତ ରଖାଯିବ । ସ୍ଥିତି ସ୍ୱାଭାବିକ ହେଲେ ଆହୁରି ଅନେକ କ୍ଷେତ୍ରରେ କଟକଣା କୋହଳ କରାଯିବ । ଦିଲ୍ଲୀ ସରକାର ତୃତୀୟ ଲହରୀର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ବିଶେଷକରି ଶିଶୁ ମାନଙ୍କୁ ସଂକ୍ରମଣରୁ ରୋକିବା ପାଇଁ ବ୍ୟବସ୍ଥା କରାଯାଉଛି । ଏଥିପାଇଁ ଏକ ଟାସ୍କ ଫୋର୍ସ ଗଠନ କରାଯାଇଛି ବୋଲି କେଜ୍ରିୱାଲ କହିଛନ୍ତି ।

ଦିଲ୍ଲୀରେ କୋଭିଡ୍‌-୧୯ ସ୍ଥିତିରେ ସୁଧାର ଆସୁଛି । ଗତ ୨୪ ଘଣ୍ଟାରେ ରାଜଧାନୀ ନଗରୀରେ ମାତ୍ର ୫୨୩ ମାମଲା ରିପୋର୍ଟ କରାଯାଇଛି । ଏହି ରୋଗରେ ଆଉ ୫୦ ଜଣଙ୍କର ମୃତ୍ୟୁ ହୋଇଛି । ପଜିଟିଭିଟି ରେଟ୍ ୦.୬୮%କୁ ଖସିଆସିଛି । ଦିଲ୍ଲୀରେ ଏପ୍ରିଲ ୧୯ରୁ ଲକ୍‌ଡାଉନ୍ ଲଗାଯାଇଥିଲା ।

Comments are closed.