ସଂକ୍ରମଣ ରୋକିବା ପରିବର୍ତ୍ତେ କେନ୍ଦ୍ର ସରକାର ଖାଲି ଶ୍ରେୟ ନେବାକୁ ଚାହିଁଲେ: ଅମର୍ତ୍ତ୍ୟ ସେନ୍‌

ନୂଆଦିଲ୍ଲୀ: କୋଭିଡ୍ ସ୍ଥିତି ପରିଚାଳନା ନେଇ ନୋବେଲ ପୁରସ୍କାର ବିଜେତା ଅର୍ଥଶାସ୍ତ୍ରୀ ଅମର୍ତ୍ତ୍ୟ ସେନ୍ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ସରକାର ଦ୍ୱିତୀୟ ଲହରୀ ସଂକ୍ରମଣକୁ ରୋକିବା ଉପରେ ଧ୍ୟାନ ଦେବା ପରିବର୍ତ୍ତେ ନିଜ କାମ ପାଇଁ ଶ୍ରେୟ ନେବାକୁ ଚାହିଁଲେ । ଫଳ ସ୍ୱରୂପ ସ୍ଥିତି ସାଂଘାତିକ ହୋଇପଡିଥିଲା । ଦ୍ୱିତୀୟ ଲହରୀ ବେଳେ ସରକାର ‘ସ୍କିଜୋଫ୍ରେନିଆ’ ରୋଗରେ ଆକ୍ରାନ୍ତ ଥିଲେ ବୋଲି ସେନ୍ କହିଛନ୍ତି । ସ୍କେଜୋଫ୍ରେନିଆ ହେଉଛି ଏକ ମାନସିକ ରୋଗ ଯଦ୍ୱାରା ଜଣେ ବ୍ୟକ୍ତି ବାସ୍ତବିକ ଓ କାଳ୍ପନିକ ସ୍ଥିତି ମଧ୍ୟରେ ପାର୍ଥକ୍ୟ ଜାଣିପାରେ ନାହିଁ ।

ରାଷ୍ଟ୍ରୀୟ ସେବା ଦଳ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମ ଅବସରରେ ଅମର୍ତ୍ତ୍ୟ ସେନ କହିଥିଲେ, ନିଜର ଔଷଧ ଉତ୍ପାଦନ କ୍ଷମତା ଓ ଦୃଢ଼ ପ୍ରତିରୋଧକ ଶକ୍ତି ଯୋଗୁଁ କୋଭିଡ୍‌-୧୯ ମହାମାରୀର ମୁକାବିଲା ପାଇଁ ଭାରତ ଭଲ ସ୍ଥିତିରେ ଥିଲା । କିନ୍ତୁ କେନ୍ଦ୍ର ସରକାରଙ୍କ ଭ୍ରମ ଯୋଗୁଁ ସ୍ଥିତି ଅଣାୟତ୍ତ ହୋଇଯାଇଥିଲା । ସଂକ୍ରମଣ ରୋକିବାକୁ ଉଦ୍ୟମ କରିବା ପରିବର୍ତ୍ତେ ସରକାର ନିଜ କାର୍ଯ୍ୟ ପାଇଁ ଶ୍ରେୟ ନେବା ଉପରେ ଅଧିକ ଗୁରୁତ୍ୱ ଦେଇଥିଲେ । ଏହାର ପରିଣାମ ‘ସ୍କେଜୋଫ୍ରେନିଆ’ ସଦୃଶ ଥିଲା ବୋଲି ସେନ୍ କହିଛନ୍ତି ।

ଭାରତରେ ଦ୍ୱିତୀୟ ଲହରୀ ପରିପ୍ରେକ୍ଷୀରେ ସେନ୍ ଏଭଳି ମନ୍ତବ୍ୟ ଦେଇଛନ୍ତି । କରୋନର ଦ୍ୱିତୀୟ ଲହରୀ ସଂକ୍ରମଣ ଭାରତରେ ହାହାକାର ସ୍ଥିତି ସୃଷ୍ଟି କରିଥିଲା । ହସ୍ପିଟାଲରେ ବେଡ୍ ଓ ଅକ୍ସିଜେନ ଅଭାବରୁ ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗିଥିଲେ । ଦୈନିକ ମାମଲା ୪ ଲକ୍ଷରୁ ଊର୍ଦ୍ଧ୍ୱ ଟପିଥିଲା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ କ୍ରମାଗତ ଭାବେ ୪ ହଜାରରୁ ଉପରେ ରହିଥିଲା । ଏପରିକି ମୃତ୍ୟୁସଂଖ୍ୟା ଲୁଚାଯାଉଥିବା ଅଭିଯୋଗ ହୋଇଥିଲା । କରୋନା ମୁକାବିଲାରେ କେନ୍ଦ୍ର ସରକାର ବେଶ୍ ଆଗୁଆ ବିଜୟ ଘୋଷଣା କରିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା ବୋଲି କିଛି ବିଶିଷ୍ଟ ବୁଦ୍ଧିଜୀବୀ କହିଥିଲେ ।

 

Comments are closed.