ଟିଏମ୍‌ସି ସାଂସଦ ମହୁଆ ମୋଇତ୍ରାଙ୍କ ଅଭିଯୋଗ: ରାଜଭବନରେ ନିଜ ସମ୍ପର୍କୀୟଙ୍କୁ ନିଯୁକ୍ତ କରିଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ

କୋଲକାତା: ନିର୍ବାଚନ ସରିଥିଲେ ମଧ୍ୟ ଶାସକ ତୃଣମୂଳ କଂଗ୍ରେସ ଓ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କ ମଧ୍ୟରେ କଳି ଥମିବାର ନାଁ ଧରୁନି । ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା ଏବେ ରାଜ୍ୟପାଳ ଧନଖଡ଼ଙ୍କ ଉପରେ ଆକ୍ରମଣ ଜୋରଦାର କରିଛନ୍ତି । ରାଜ୍ୟପାଳ ପରିବାରବାଦକୁ ପ୍ରଶ୍ରୟ ଦେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ମୋଇତ୍ରା । ଧନଖଡ଼ ନିଜର ୬ ଜଣ ସମ୍ପର୍କୀୟଙ୍କୁ ରାଜଭବନରେ ଅଫିସର ଅନ୍ ସ୍ପେଶାଲ୍ ଡ୍ୟୁଟି (ଓଏସ୍‌ଡି) ଭାବେ ନିଯୁକ୍ତ କରିଛନ୍ତି ବୋଲି ମୋଇତ୍ରା ଟ୍ୱିଟ୍ କରି କହିଛନ୍ତି । ତାଙ୍କର ଏହି ଅଭିଯୋଗର ପ୍ରମାଣ ସ୍ୱରୂପ ମୋଇତ୍ରା ଟ୍ୱିଟରରେ ଉକ୍ତ ୬ ଓଏସ୍‌ଡିଙ୍କ ତାଲିକା ବି ସେୟାର କରିଛନ୍ତି ।

ମୋଇତ୍ରା ରବିବାର ଟ୍ୱିଟରରେ ଏକ ତାଲିକା ପୋଷ୍ଟ କରିଥିଲେ,ଯେଉଁଥିରେ ରାଜ୍ୟପାଳ ଧନଖଡ଼ଙ୍କ ଦ୍ୱାରା ନିଯୁକ୍ତ ୬ ଓଏସ୍‌ଡିଙ୍କ ନାମ ରହିଥିଲା । ରାଜ୍ୟପାଳଙ୍କ ସହ ସେହି ୬ ଓଏସ୍‌ଡିଙ୍କ କିପରି ପାରିବାରିକ ସମ୍ପର୍କ ରହିଛି ସେନେଇ ମଧ୍ୟ ସେ ତହିଁରେ ଉଲ୍ଲେଖ କରିଥିଲେ । ତାଲିକାରେ ଥିବା ୬ ଓଏସ୍‌ଡିଙ୍କ ନାମ ହେଲା – ଅଭ୍ୟୁଦୟ ସିଂହ ଶେଖାୱତ (ରାଜ୍ୟପାଳଙ୍କ ଶଳାର ପୁଅ), ଅଖିଳ ଚୌଧୁରୀ (ରାଜ୍ୟପାଳଙ୍କ ନିକଟ ସମ୍ପର୍କୀୟ), ରୁଚି ଦୁବେ (ରାଜ୍ୟପାଳଙ୍କ ପୂର୍ବ ଏଡିସିଙ୍କ ପତ୍ନୀ), ପ୍ରଶାନ୍ତ ଦୀକ୍ଷିତ୍ (ରାଜ୍ୟପାଳଙ୍କ ଆଉ ଜଣେ ପୂର୍ବତନ ଏଡିସିଙ୍କ ଭାଇ), କୌସ୍ତୁଭ ଏସ୍‌. ଭାଲିକର (ରାଜ୍ୟପାଳଙ୍କ ବର୍ତ୍ତମାନର ଏଡିସିଙ୍କ ଶଳା) ଓ କିଶନ ଧନଖଡ଼ (ରାଜ୍ୟପାଳଙ୍କ ନିକଟ ସମ୍ପର୍କୀୟ) ।

ଏହି ତାଲିକାକୁ ସେୟାର କରିବା ସହ ମୋଇତ୍ରା ମଧ୍ୟ ରାଜ୍ୟପାଳ ଧନଖଡ଼ଙ୍କୁ କଟାକ୍ଷ କରି ଲେଖିଥିଲେ, ‘ଅଙ୍କଲ୍‌, ଆପଣ ତ ପୂରା ପରିବାରକୁ ରାଜଭବନକୁ ନେଇ ଆସିଛନ୍ତି ।’’

ନିର୍ବାଚନ ପରେ ପଶ୍ଚିମବଙ୍ଗରେ ଘଟିଥିବା ହିଂସା ଓ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଧନକର ରାଜ୍ୟ ସରକାରଙ୍କୁ ଦାୟୀ କରିବା ପରେ ମୋଇତ୍ରା ଉକ୍ତ ତାଲିକା ଟ୍ୱିଟରରେ ସେୟାର କରିଥିଲେ । ମୋଇତ୍ରା ଟ୍ୱିଟ୍ କରି କହିଥିଲେ – ‘ଅଙ୍କଲ୍ ଜୀ, ଆପଣ ଦିଲ୍ଲୀ ଫେରିଗଲେ ହିଁ ପଶ୍ଚିମବଙ୍ଗର ସ୍ଥିତି ସୁଧୁରିବ ।’

ସମ୍ପର୍କୀୟଙ୍କୁ ରାଜଭବନରେ ନିଯୁକ୍ତି ନେଇ ମୋଇତ୍ରାଙ୍କ ଅଭିଯୋଗକୁ ଧନଖଡ଼ ଖଣ୍ଡନ କରିଛନ୍ତି । ସେ ଆଜି ଏକ ଟ୍ୱିଟ୍ କରି କହିଛନ୍ତି, ମୋଇତ୍ରା ମୋ ବିରୋଧରେ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ମିଛ । ରାଜଭବନରେ ନିଯୁକ୍ତି ପାଇଥିବା ଓଏସ୍‌ଡି ତିନି ଅଲଗା ରାଜ୍ୟରୁ ଆସିଛନ୍ତି ଏବଂ ସେମାନେ ଭିନ୍ନ ଜାତିର । ସେମାନଙ୍କ ମଧ୍ୟରୁ କେହି ବି ମୋର ସମ୍ପର୍କୀୟ ନୁହଁନ୍ତି । ଚାରି ଓଏସ୍‌ଡି ମୋ ଜାତି କି ରାଜ୍ୟର ନୁହଁନ୍ତି ବୋଲି ଧନଖଡ଼ କହିଛନ୍ତି ।

Comments are closed.