କେଜ୍ରିୱାଲ ସରକାରର ନୂଆ ଅଭିଯାନ, ‘ଯେଉଁଠି ଭୋଟ୍‌, ସେଇଠି ଟିକାକରଣ’

ନୂଆଦିଲ୍ଲୀ: ଟିକାକରଣକୁ ବ୍ୟାପକ କରିବା ପାଇଁ ଦିଲ୍ଲୀର ଅରବିନ୍ଦ୍ର କେଜ୍ରିୱାଲ ସରକାର ଏକ ନୂଆ ଅଭିଯାନର ଘୋଷଣା କରିଛି । ଦିଲ୍ଲୀରେ ଏବେ ପ୍ରତି ବୁଥ୍ ସ୍ତରରେ ଟିକାକରଣ ହେବ । ଏଥିପାଇଁ ଦିଲ୍ଲୀ ସରକାର ‘ଯେଉଠି ଭୋଟ୍‌, ସେଇଠି ଟିକାକରଣ’ ଅଭିଯାନର ଶୁଭାରମ୍ଭ କରିଛନ୍ତି । ସୋମବାର ଠାରୁ ଏହି ଅଭିଯାନ ଦିଲ୍ଲୀର ୭୦ଟି ୱାର୍ଡରେ ଆରମ୍ଭ ହୋଇସାରିଛି । ଏହି ଅଭିଯାନ ସମ୍ପର୍କରେ ଘୋଷଣା କରିବା ସହ କେଜ୍ରିୱାଲ କହିଛନ୍ତି ଯେ, ଚାରି ସପ୍ତାହ ମଧ୍ୟରେ ୪୫ ବର୍ଷରୁ ଊର୍ଦ୍ଧ୍ୱ ସବୁ ଲୋକଙ୍କ ଟିକାକରଣ ହେବ । ଘରକୁ ଯାଇ ଲୋକଙ୍କୁ ଟିକା ଲଗାଯିବ ବୋଲି ସେ କହିଛନ୍ତି ।

କେଜ୍ରିୱାଲ କହିଛନ୍ତି ଯେ, ୪୫ ବର୍ଷରୁ ଊର୍ଦ୍ଧ୍ୱ ବର୍ଗରେ ଏଯାବତ୍ ଦିଲ୍ଲୀରେ ୨୭ ଲକ୍ଷ ଲୋକଙ୍କୁ କୋଭିଡ୍ ଟିକା ଡୋଜ୍ ଦିଆଯାଇଛି । ଏହି ବୟସ ବର୍ଗରେ ଆହୁରି ୩୦ ଲକ୍ଷ ଲୋକଙ୍କୁ ଟିକା ଲଗାଯିବାର ଅଛି । ଟିକା ପାଇଁ ଲୋକମାନେ ଅପେକ୍ଷା କରିବା ପରିବର୍ତ୍ତେ ଆମେ ସେମାନଙ୍କ ଘରକୁ ଯାଇ ଟିକା ଦେବୁ ବୋଲି କେଜ୍ରିୱାଲ କହିଛନ୍ତି । ଭୋଟ୍ ଦେବାକୁ ଆପଣମାନେ ଯେଉଁଠିକି ଯାଇଥିଲେ, ସେଠାକୁ ଯାଇ ଆପଣ ଏବେ ଟିକା ନେଇପାରିବେ ବୋଲି କେଜ୍ରିୱାଲ ଦିଲ୍ଲୀ ବାସିନ୍ଦାଙ୍କୁ ଅନୁରାଧ କରିଛନ୍ତି ।

Comments are closed.