ରାଜ୍ୟମାନଙ୍କ ଚାପ ପରେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା, ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ଦିଆଯିବ ମାଗଣା ଟିକା

ନୂଆଦିଲ୍ଲୀ: ରାଜ୍ୟ ମାନଙ୍କ ଚାପ ପରେ କେନ୍ଦ୍ର ସରକାର ଟିକାକରଣ ନୀତି ପୁଣିଥରେ ବଦଳାଇଛନ୍ତି । କେନ୍ଦ୍ର ଏବେ କୋଭିଡ୍‌-୧୯ ଟିକାକରଣର ସବୁ ଦାୟିତ୍ୱ ନେବ । ଟିକା କିଣି ରାଜ୍ୟମାନଙ୍କୁ ମାଗଣାରେ ଯୋଗଇବ କେନ୍ଦ୍ର । ଜୁନ୍ ୨୧ରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ମଧ୍ୟ ଏବେ ମାଗଣା ଟିକା ଦିଆଯିବ । ଆଜି ଦେଶକୁ ସମ୍ବୋଧନ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ଘୋଷଣା କରିଛନ୍ତି ।

ମୋଦି କହିଛନ୍ତି, ଜୁନ୍ ୨୧ ତଥା ଅନ୍ତର୍ଜାତୀୟ ଯୋଗ ଦିବସରୁ ୧୮-୪୪ ବର୍ଷ ବୟସର ହିତାଧିକାରୀଙ୍କ ଟିକାକରଣ ମାଗଣା ହେବ । ଏହି ବୟସ ବର୍ଗର ଲୋକ ଏଣିକି ସବୁ ସରକାରୀ କେନ୍ଦ୍ରରେ ମାଗଣା ଟିକା ନେଇପାରିବେ । ରାଜ୍ୟମାନଙ୍କ ଦାୟିତ୍ୱରେ ଯେଉଁ ୨୫% ଟିକାକରଣ କାର୍ଯ୍ୟ ଥିଲା, ତାକୁ ଏବେ କେନ୍ଦ୍ର ସମ୍ଭାଳିବ । ଟିକା ନିର୍ମାତାଙ୍କ ଠାରୁ କେନ୍ଦ୍ର ୭୫% ଟିକା କିଣି ରାଜ୍ୟମାନଙ୍କୁ ମାଗଣାରେ ଯୋଗାଇବ । କୌଣସି ରାଜ୍ୟକୁ ବି ଟିକା ପାଇଁ ନିଜ ହାତରୁ ଖର୍ଚ୍ଚ କରିବାକୁ ପଡିବ ନାହିଁ । ଦେଶରେ ଟିକା ଉତ୍ପାଦନର ୨୫% ଘରୋଇ ହସ୍ପିଟାଲ ଗୁଡିକ କିଣିପାରିବେ । ଟିକା ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା ଲାଗି ଘରୋଇ ହସ୍ପିଟାଲ ଗୁଡିକ ପ୍ରତି ଡୋଜ୍ ପିଛା ସର୍ବାଧିକ ୧୫୦ ଟଙ୍କା ସର୍ଭିସ ଚାର୍ଜ ନେବେ । ଘରେଇ ହସ୍ପିଟାଲରେ ଟିକାକରଣ ଉପରେ ରାଜ୍ୟ ସରକାର ନଜର ରଖିବେ ।

ସମ୍ପ୍ରତି ୧୮-୪୪ ବୟସ ବର୍ଗର ଲୋକଙ୍କ ଟିକାକରଣ ପାଇଁ ରାଜ୍ୟ ସରକାର ମାନଙ୍କୁ ଟିକା କିଣିବାକୁ ପଡୁଛି । ଏହି ବୟସ ବର୍ଗର ଲୋକଙ୍କୁ ଟିକା ପାଇଁ ଅର୍ଥ ପୈଠ କରିବାକୁ ପଡୁଥିଲା, ଯଦିଓ କିଛି ରାଜ୍ୟ ଏହି ବୟସ ବର୍ଗର ହିତଧିକାରୀଙ୍କୁ ମାଗଣା ଟିକାକରଣ ନେଇ ଘୋଷଣା କରିଥିଲେ । ୧୮-୪୪ ବୟସ ବର୍ଗର ଲୋକଙ୍କ ପାଇଁ କେନ୍ଦ୍ରର ଟିକା ନୀତିକୁ ନିକଟରେ ସୁପ୍ରିମକୋର୍ଟ କଡ଼ା ସମାଲୋଚନା କରିଥିଲେ । ସେମାନଙ୍କୁ କାହିଁକି ମାଗଣା ଟିକା ଦିଆଯିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ପ୍ରଶ୍ନ କରିଥିଲେ । ଏହାଛଡ଼ା କେନ୍ଦ୍ର ବଜେଟ୍‌ରେ ଟିକାକରଣ ପାଇଁ ମଞ୍ଜୁର ହୋଇଥିବା ୩୫ ହଜାର କୋଟିର ହିସାବ ମାଗିଥିଲେ କୋର୍ଟ । ୧୮-୪୪ ବର୍ଷ ବୟସ୍କଙ୍କ ପାଇଁ କେନ୍ଦ୍ରର ଟିକା ନୀତି ଏକତରଫା ଓ ଅଯୌକ୍ତିକ ବୋଲି କହିଥିଲେ ସୁପ୍ରିମକୋର୍ଟ ।
କେନ୍ଦ୍ର ଓ ରାଜ୍ୟ ସରକାର ପାଇଁ ଟିକା ଦର ମଧ୍ୟ ଭିନ୍ନ ଥିଲା । କେନ୍ଦ୍ର ଅପେକ୍ଷା ରାଜ୍ୟମାନଙ୍କୁ ଟିକା କମ୍ପାନୀମାନେ ଅପେକ୍ଷାକୃତ ଅଧିକ ମୂଲ୍ୟରେ ଟିକା ବିକ୍ରି କରୁଥିଲେ । ଟିକା ମୂଲ୍ୟରେ ଏଭଳି ଅସମାନତାକୁ ନେଇ ମଧ୍ୟ ସୁପ୍ରିମକୋର୍ଟ ଓ ହାଇକୋର୍ଟ ପ୍ରଶ୍ନ ଉଠାଇଥିଲେ ।

ଟିକା ଅଭାବ ଦୂର କରିବା ପାଇଁ ବିଦେଶରୁ ଟିକା କିଣିବା ଦାୟିତ୍ୱ ମଧ୍ୟ କେନ୍ଦ୍ର ରାଜ୍ୟମାନଙ୍କ ଉପରେ ଛାଡ଼ି ଦେଇଥିଲା । ହେଲେ ଏ ବାବଦରେ ଫାଇଜର ଓ ମଡେର୍ଣ୍ଣା ଭଳି କମ୍ପାନୀ ରାଜ୍ୟ ସରକାରଙ୍କୁ ଟିକା ବିକିବା ପାଇଁ ମନା କରିବା ପରେ କେନ୍ଦ୍ର ଉପରେ ଚାପ ବଢ଼ିଥିଲା । କେନ୍ଦ୍ର ସରକାର ନିଜେ ଟିକା କିଣି ରାଜ୍ୟମାନଙ୍କୁ ବିତରଣ କରନ୍ତୁ ବୋଲି ନିକଟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବ ଦେଇଥିଲେ । ଏନେଇ କେନ୍ଦ୍ର ଉପରେ ଚାପ ପକାଇବାକୁ ସେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ନବୀନଙ୍କ ଏହି ପ୍ରସ୍ତାବକୁ କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ ସମର୍ଥନ ଜଣାଇଥିଲେ । ଟିକା ନୀତି ନେଇ ଚାରିଆଡୁ ସମାଲୋଚିତ ହେବା ପରେ କେନ୍ଦ୍ର ସରକାର ଶେଷରେ ରାଜ୍ୟମାନଙ୍କୁ ମାଗଣା ଟିକା ଦେବାକୁ ଘୋଷଣା କରିଛନ୍ତି ।

Comments are closed.