କୋଭିଡ୍‌-୧୯ରେ ଅନାଥ ହୋଇଥିବା ପିଲାଙ୍କ ଶିକ୍ଷା ଜାରି ରଖିବାକୁ ରାଜ୍ୟଙ୍କୁ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କୋଭିଡ୍‌-୧୯ଯୋଗୁଁ ଭାରତରେ ୩୦ ହଜାରରୁ ଊର୍ଦ୍ଧ୍ୱ ପିଲା ଅନାଥ ହୋଇଛନ୍ତି । ଏହି ପିଲାମାନଙ୍କ ଖାଦ୍ୟ, ଔଷଧ ଓ ପୋଷକ ଆଦି ମୌଳିକ ଆବଶ୍ୟକତା ପୂରଣ କରାଯିବା ସହ ସେମାନଙ୍କ ଶିକ୍ଷା ଯେଭଳି ବିନା ବାଧାରେ ଜାରି ରହିବ ତାହା ସୁନିଶ୍ଚିତ କରିବାକୁ ମଙ୍ଗଳବାର ସୁପ୍ରିମକୋର୍ଟ ସବୁ ରାଜ୍ୟ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାଛଡ଼ା ଅନାଥ ପିଲାଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ସହାୟତା ପ୍ୟାକେଜ୍ ବିଷୟରେ ବିସ୍ତୃତ ତଥ୍ୟ ଦେବାକୁ କୋର୍ଟ କେନ୍ଦ୍ରକୁ କହିଛନ୍ତି ।

କୋର୍ଟ ପୂର୍ବରୁ କୋଭିଡ୍‌-୧୯ରେ ବାପାମା’ ହରାଇଥିବା ପିଲାଙ୍କ ତଥ୍ୟ ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ(ଏନ୍‌ପିସିଆର)ଙ୍କ ପୋର୍ଟାଲ ‘ବାଳ ସ୍ୱରାଜ’ରେ ଅପଲୋଡ୍ କରିବାକୁ କହିଥିଲେ । ଏନ୍‌ସିପିସିଆର୍‌ର ତଥ୍ୟ ଅନୁସାରେ ଜୁନ୍ ୫ ସୁଦ୍ଧା ଦେଶରେ କୋଭିଡ୍ କାରଣରୁ ୩୦,୦୭୧ ପିଲା ଅନାଥ ହୋଇଛନ୍ତି । ପିଏମ୍ କେୟର୍ସ ପାଣ୍ଠିରୁ ଏପରି ପିଲାଙ୍କ ସହାୟତା ପାଇଁ ଯେଉଁ ଘୋଷଣା କରାଯାଇଥିଲା, ସେ ସମ୍ପର୍କିତ ବିସ୍ତୃତ ତଥ୍ୟ ଦେବାକୁ ମଧ୍ୟ କୋର୍ଟ କେନ୍ଦ୍ରକୁ କହିଥିଲେ । ଏନେଇ ଆଜି କେନ୍ଦ୍ର ପକ୍ଷରୁ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟ ଭାଟ୍ଟୀ କୋର୍ଟଙ୍କୁ କହିଛନ୍ତି ଯେ, ଅନାଥ ପିଲାଙ୍କୁ ସହାୟତା ଦେବା ପାଇଁ ପ୍ରକ୍ରିୟା ଧାର୍ଯ୍ୟ କରାଯାଉଛି । ଏଥିପାଇଁ ସବୁ ରାଜ୍ୟର ସରକାରଙ୍କ ସହ ଆଲୋଚନା ଚାଲିଛି । ଏ ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ କୋର୍ଟ କେନ୍ଦ୍ରକୁ ୪ ସପ୍ତାହ ସମୟ ଦେଇଛନ୍ତି । ତେବେ ଜରୁରୀ ସହାୟତା ଆବଶ୍ୟକ କରୁଥିବା ପିଲା ଯେଭଳି ଏଥିରୁ ବଞ୍ଚିତ ନ ହୁଏ, ସେଥିପାଇଁ ନିଶ୍ଚିତ କରିବାକୁ କୋର୍ଟ ସବୁ ରାଜ୍ୟମାନଙ୍କୁ କହିଛନ୍ତି ।

Comments are closed.