ଘରୋଇ ହସ୍ପିଟାଲ ପାଇଁ ଟିକା ମୂଲ୍ୟ ସ୍ଥିର କଲେ କେନ୍ଦ୍ର ସରକାର; କୋଭିଶିଲ୍ଡ ୭୮୦, କୋଭାକ୍ସିନ ୧୪୧୦ ଟଙ୍କା ପ୍ରତି ଡୋଜ୍‌

ନୂଆଦିଲ୍ଲୀ: ଘରୋଇ ହସ୍ପିଟାଲ ମାନଙ୍କ ପାଇଁ କେନ୍ଦ୍ର ସରକାର ଟିକା ମୂଲ୍ୟ ସ୍ଥିର କରିଛନ୍ତି । ଏନେଇ ମଙ୍ଗଳାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ନୂଆ ଗାଇଡ୍ ଲାଇନ୍ ଜାରି କରାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଗାଇଡ୍ ଲାଇନ୍ ମୁତାବକ, ଘରୋଇ ହସ୍ପିଟାଲ୍‌ରେ କୋଭିଶିଲ୍ଡ ଟିକାର ପ୍ରତି ଡୋଜ୍ ପିଛା ୭୮୦ ଟଙ୍କା, କୋଭାକ୍ସିନ ଟିକା ୧୪୧୦ ଟଙ୍କା ଏବଂ ରୁଷୀୟ ଭାକ୍ସିନ ସ୍ପୁଟନିକ-ଭି’ର ଦାମ୍ ୧୧୪୫ ଟଙ୍କାରେ ମିଳିବ । ଧାର୍ଯ୍ୟ ଟିକା ମୂଲ୍ୟରେ ୧୫୦ ଟଙ୍କା ସେବା ଶୁଳ୍କ ଅନ୍ତର୍ଭୁକ୍ତ । ଧାର୍ଯ୍ୟ ମୂଲ୍ୟ ଠାରୁ ଘରୋଇ ହସ୍ପିଟାଲ ଲୋକଙ୍କ ଠାରୁ ଅଧିକ ଟଙ୍କା ନେଇପାରିବେ ନାହିଁ । ସେହିପରି ରାଜ୍ୟମାନେ ୧୫୦ ଟଙ୍କାରୁ ଅଧିକ ସେବା ଶୁଳ୍କ ଘରୋଇ ହସ୍ପିଟାଲ ମାନଙ୍କ ଠାରୁ ଆଦାୟ କରିବେ ନାହିଁ ବୋଲି କେନ୍ଦ୍ରର ନୂଆ ଗାଇଡ୍ ଲାଇନ୍‌ରେ କୁହାଯାଇଛି । ଘରୋଇ ହସ୍ପିଟାଲରେ ଟିକାକରଣ ଉପରେ ନଜର ରଖିବାକୁ ମଧ୍ୟ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ଅର୍ଥ ନିଆଯାଏ, ତେବେ ସମ୍ପୃକ୍ତ ହସ୍ପିଟାଲ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ନୂଆ ଟିକା ନୀତି ସମ୍ପର୍କରେ ଘୋଷଣା କରିଥିଲେ । ଜୁନ୍ ୨୧ରୁ ୧୮-୪୪ ବୟସ ବର୍ଗର ଲୋକଙ୍କୁ ମାଗଣା ଟିକା ଦିଆଯିବ । ଏଣିକି କେନ୍ଦ୍ର ଟିକାକରଣର ସବୁ ଦାୟିତ୍ୱ ନେବ । କେନ୍ଦ୍ର ଟିକା କିଣି ରାଜ୍ୟମାନଙ୍କୁ ମାଗଣାରେ ଯୋଗାଇବ ବୋଲି ଦେଶବାସୀଙ୍କୁ ସମ୍ବୋଧନ ଅବସରରେ ମୋଦି କହିଥିଲେ । କେନ୍ଦ୍ର ସରକାର ଉତ୍ପାଦନର ୭୫% ଟିକା କିଣିବେ ଏବଂ ଅବଶିଷ୍ଟ ୨୫% ଟିକା ଘରୋଇ ହସ୍ପିଟାଲ ନେଇପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ନୂଆ ଟିକା ନୀତି ଜୁନ୍ ୨୧ରୁ ଲାଗୁ ହେବ ।

Comments are closed.