ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କୁ ଚାପୁଡ଼ା

ପ୍ୟାରିସ: ଦକ୍ଷିଣ ଫ୍ରାନ୍ସ ଗସ୍ତରେ ଆସିଥିବା ସମୟରେ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କୁ ଭିଡ଼ ଭିତରୁ ଜଣେ ବ୍ୟକ୍ତି ଚାପୁଡ଼ା ମାରିଛନ୍ତି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ମାକ୍ରୋନ୍ ସୁରକ୍ଷା କର୍ମୀଙ୍କ ଦ୍ୱାରା ଘେରି ରହିଥିବାର ଦେଖିବାକୁ ମିଳୁଛି | ଏହି ସମୟରେ ଜଣେ ବ୍ୟକ୍ତି ତାଙ୍କ ସହ ହାତ ମିଳାଇବା ପରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଚାପୁଡ଼ା ମାରିଥିଲେ। ଘଟଣା ପରେ ମାକ୍ରୋନଙ୍କ ସୁରକ୍ଷା କର୍ମୀ ସଙ୍ଗେ ସଙ୍ଗେ ଉକ୍ତ ବ୍ୟକ୍ତିଙ୍କୁ କାବୁ କରି ଦୂରକୁ ନେଇଯାଇଥିଲେ।

ଏହି ଘଟଣାରେ ସମ୍ପୃକ୍ତ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ଫ୍ରାନ୍ସ ଗଣମାଧ୍ୟମ ସ୍ପଷ୍ଟ କରିଛି। ଫ୍ରାନ୍ସର ପ୍ରଧାନମନ୍ତ୍ରୀ ଜିନ୍ କାଷ୍ଟେକ୍ସ ଏହି ଘଟଣାକୁ ଗଣତନ୍ତ୍ରର ଅପମାନ ବୋଲି କହିଛନ୍ତି। ମାକ୍ରନ୍ ଦକ୍ଷିଣ-ପୂର୍ବ ଫ୍ରାନ୍ସର ଡ୍ରୋମ ଅଞ୍ଚଳ ପରିଦର୍ଶନ କରୁଥିବାବେଳେ ଏହି ଘଟଣା ଘଟିଥିଲା। ସେ କୋଭିଡ-୧୯ ପ୍ରକୋପ ପରେ ଲୋକଙ୍କ ଭଲମନ୍ଦ ଜାଣିବା ପାଇଁ ରେଷ୍ଟୁରାଣ୍ଟ ପରିଦର୍ଶନ କରିବା ସହ ଛାତ୍ରମାନଙ୍କୁ ମଧ୍ୟ ଭେଟିଥିଲେ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଧଳା ସାର୍ଟ ପିନ୍ଧିଥିବା ଇମାନୁଏଲ୍ ମାକ୍ରୋନ୍ ତାଙ୍କର ଶୁଭେଚ୍ଛୁମାନଙ୍କୁ ଭେଟୁଛନ୍ତି। ଏହା ପରେ ଲୁହା ବ୍ୟାରିକେଡ ଉପରେ ଛିଡା ହୋଇଥିବା ଜଣେ ସବୁଜ ଟି-ସାର୍ଟ, ଚଷମା ଏବଂ ଫେସମାସ୍କ ପିନ୍ଧିଥିବା ବ୍ୟକ୍ତି ମାକ୍ରୋନଙ୍କ ସହ ହାତ ମିଳାଉଛନ୍ତି | ରାଷ୍ଟ୍ରପତି ମାକ୍ରନ୍ ମୁହଁ ବୁଲାଇବା ମାତ୍ରେ ବ୍ୟକ୍ତି ଜଣକ ତାଙ୍କୁ ଚାପୁଡ଼ା ମାରିଥିଲେ। ଏହା ପରେ ସୁରକ୍ଷା କର୍ମୀମାନେ ତାଙ୍କୁ ଧରି ନେଇଥିଲେ।

ବ୍ୟକ୍ତି ଜଣକ ଚାପୁଡ଼ା ମାରିବା ପରେ ମାକ୍ରୋନଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ ​​| ଏହା ପରେ ମାକ୍ରୋନଙ୍କ ଦୁଇଜଣ ସୁରକ୍ଷା କର୍ମୀ ଚାପୁଡ଼ା ମାରିଥିବା ବ୍ୟକ୍ତିଙ୍କୁ ଘେରି ଯାଇଥିବା ବେଳେ ଅନ୍ୟ ଜଣକ ତାଙ୍କୁ ଟାଣି ନେଇଥିଲେ। କିନ୍ତୁ ମାକ୍ରୋନ୍ ଆଉ କିଛି ସେକେଣ୍ଡ ପାଇଁ ଭିଡ଼ ପାଖରେ ରହିଥିଲେ | ତାଙ୍କୁ ବ୍ୟାରିକେଡ଼ର ଅନ୍ୟ ପାର୍ଶ୍ୱରେ କିଛି ଲୋକଙ୍କ ସହ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଥିଲା ​​|

Comments are closed.