ପଞ୍ଜାବ ନିର୍ବାଚନ: ମାୟାବତୀଙ୍କ ବିଏସ୍‌ପି ସହ ଅକାଳି ଦଳର ମେଣ୍ଟ

ନୂଆଦିଲ୍ଲୀ: କୃଷି ଆଇନକକୁ ବିରୋଧ କରି ବିଜେପିର ହାତ ଛାଡ଼ିବା ପରେ ଶିରୋମଣି ଅକାଳି ଦଳ ଆସନ୍ତାବର୍ଷ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ସହ ମେଣ୍ଟ କରିଛି ।

ବିଏସ୍‌ପି ସହ ମିଶି ଗତ ନିର୍ବାଚନରେ ହାତରୁ ଖସିଥିବା ସିଟ୍‌କୁ ଏଥର ହାତେଇବାକୁ ଆଶା ରଖିଛି ଅକାଳି ଦଳ । ଗତ ନିର୍ବାଚନରେ ବିଜେପିକୁ ଯେଉଁ ଆସନ ଦିଆଯାଇଥିଲା, ସେହି ଆସନ ଏବେ ବିଏସ୍‌ପିକୁ ଦିଆଯିବ ।

ପଞ୍ଜାବରେ ମୋଟ ୧୧୭ ବିଧାନସଭା ଆସନ ରହିଛି । ଏଥିମଧ୍ୟରୁ ବିଏସ୍‌ପିକୁ ୨୦ ଆସନ ଦିଆଯାଇଛି । ଆଉ ବାକି ୯୭ଟି ଆସନରେ ଅକାଳି ଦଳ ଲଢ଼ିବ ।

ପଞ୍ଜାବ ରାଜନୀତି ପାଇଁ ଆଜି ଏକ ନୂଆ ଦିନ । ଶିରୋମଣି ଅକାଳି ଦଳ ଏବଂ ବହୁଜନ ସମାଜ ପାର୍ଟି ୨୦୨୨ ବିଧାନସଭା ସହ ଆଗାମୀ ସବୁ ନିର୍ବାଚନରେ ଏକାଠି ଲଢ଼ିବେ ବୋଲି ଦଳୀୟ ସଭାପତି ଶୁଖବୀର ସିଂ ବାଦଲ କହିଛନ୍ତି ।
୨୭ ବର୍ଷ ପରେ ବିଏସ୍‌ପି ଓ ଅକାଳି ମଧ୍ୟରେ ମେଣ୍ଟ ହୋଇଛି । ୧୯୯୬ରେ ଏହି ଦୁଇ ଏକାଠି ଲେକାସଭା ନିର୍ବାଚନ ଲଢ଼ିଥିଲେ । ଉକ୍ତ ନିର୍ବାଚନରେ ପଞ୍ଜାବର ୧୩ ଆସନ ମଧ୍ୟରୁ ଦୁଇ ଦଳର ମେଣ୍ଟ ୧୧ ଆସନ ପାଇଥିଲେ ।
ଉଲ୍ଲେଖଯୋଗ୍ୟ ଯେ, କୃଷି ଆଇନକୁ ବିରୋଧ କରି ଗତବର୍ଷ ସେପ୍ଟେମ୍ବରରେ ବିଜେପି ସହ ସମ୍ପର୍କ ଛିନ୍ନ କରିଥିଲା ଅକାଳି ଦଳ । ସୁଖବୀର ସିଂ ବାଦଲଙ୍କ ଦଳ କେନ୍ଦ୍ର ସରକାରରୁ ଓହରି ଯାଇଥିଲା । ଆସନ୍ତାବର୍ଷ ହେବାକୁ ଥିବା ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ, ବିଜେପି ଓ ଆମ୍ ଆଦମୀ ପାର୍ଟି (ଆପ୍‌)କୁ ଛାଡ଼ି ଯେକୌଣସି ଦଳ ସହ ମେଣ୍ଟ କରିବାକୁ ଆମେ ପ୍ରସ୍ତୁତ ବୋଲି ବାଦଲ ନିକଟରେ କହିଥିଲେ ।

Comments are closed.