ଜାମ୍ମୁ କାଶ୍ମୀର: ଆତଙ୍କବାଦୀ ଆକ୍ରମଣରେ ଦୁଇ ପୋଲିସକର୍ମୀଙ୍କ ସହ ଚାରି ମୃତ

ଶ୍ରୀନଗର: ଆତଙ୍କବାଦୀମାନେ ଆଜି ସୋପୋରର ଅରାମପୋରାରେ ପୋଲିସ ଏବଂ ସିଆରପିଏଫ୍ ର ମିଳିତ ଦଳ ଉପରେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ଦୁଇ ଜଣ ପୋଲିସ କର୍ମୀ ସହିଦ ହୋଇଥିବା ବେଳେ ଦୁଇ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି। ଏହି ଘଟଣାରେ ଅନେକ ଲୋକ ମଧ୍ୟ ଆହତ ହୋଇଛନ୍ତି। ସୁରକ୍ଷା ବାହିନୀର ସର୍ଚ୍ଚ ଅପରେସନ୍ ଚାଲିଛି। କାଶ୍ମୀରର ଆଇଜି ବିଜୟ କୁମାର କହିଛନ୍ତି ଯେ ସୋପୋରରେ ହୋଇଥିବା ଏହି ଆକ୍ରମଣ ପଛରେ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତାଇବାର ହାତ ରହିଛି।

ଅଧିକାରୀମାନେ କହିଛନ୍ତି ଯେ ଆଜି ଅପରାହ୍ନରେ ଉତ୍ତର କାଶ୍ମୀର ଜିଲ୍ଲାର ସୋପୋର ମୁଖ୍ୟ ଛକ ନିକଟରେ ସେଣ୍ଟ୍ରାଲ୍ ରିଜର୍ଭ ପୋଲିସ୍ ଫୋର୍ସ (ସିଆରପିଏଫ୍) ଏବଂ ପୋଲିସର ମିଳିତ ଟିମ୍ ଉପରେ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ଗୁଳି ବିନିମୟରେ ଘଟଣାସ୍ଥଳରେ ଦୁଇ ପୋଲିସ ଓ ଦୁଇ ସାଧାରଣ ନାଗରିକ ପ୍ରାଣ ହରାଇଥିଲେ। ଜଣେ ପୋଲିସ କର୍ମଚାରୀଙ୍କ ସମେତ ଅନ୍ୟ ତିନିଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ପରେସେନାର ୯୨ ବେସ୍ ହସ୍ପିଟାଲକୁ ନିଆଯାଇଥିଲା। ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ ଘେରାଉ କରିଛନ୍ତି ।

Comments are closed.