କରୋନା ପ୍ରଭାବ: ସଂସଦର ଶୀତକାଳୀନ ଓ ବଜେଟ୍ ଅଧିବେଶନ ଏକାଠି ବସିପାରେ

ନୂଆଦିଲ୍ଲୀ – ଦେଶର ରାଜଧାନୀ ନଗରୀରେ ବୃଦ୍ଧି ପାଉଥିବା କରୋନା ମାମଲା ଦୃଷ୍ଟିରୁ ଏଥର ସଂସଦର ଶୀତକାଳୀନ ଓ ବଜେଟ୍ ଅଧିବେଶନ ଅଲଗା ପରିବର୍ତ୍ତେ ଏକାସଙ୍ଗେ ବସିବା ସମ୍ଭାବନା ରହିଛି । ତେବେ ଏନେଇ କୌଣସି ଚୂଡାନ୍ତ ନିଷ୍ପତ୍ତି ହୋଇନାହିଁ । ଆଲୋଚନା ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି । ଏ ପ୍ରସଙ୍ଗରେ ଖୁବ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି । ଦୁଇଟି ପୃଥକ୍ ଅଧିବେଶନ ପରିବର୍ତ୍ତେ ଏକକ ଅଧିବେଶନ ପାଇଁ ପ୍ରସ୍ତାବ ରହିଛି ।

ସଂସଦର ଶୀତକାଳୀନ ଅଧିବେଶନ ସାଧାରଣତଃ ନଭେମ୍ବର ପ୍ରଥମ ସପ୍ତାହରୁ ଆରମ୍ଭ ହେଉଥିବା ବେଳେ ବଜେଟ୍ ଅଧିବେଶନ ଜାନୁୟାରୀ ଶେଷ ସପ୍ତାହରୁ ଆରମ୍ଭ ହୋଇଥାଏ ଏବଂ ଫେବୃୟାରୀରେ ସାଧାରଣ ବଜେଟ୍ ଉପସ୍ଥାପନ କରାଯାଏ । କରୋନା ମହାମାରୀ ଭିତରେ ସଂସଦର ମୌସୁମୀ ଅଧିବେଶନ ସେପ୍ଟେମ୍ବର ୧୪ରୁ ଆରମ୍ଭ ହୋଇଥିଲା । ତେବେ ଏହା କେବଳ ୮ ଦିନ ଚାଲିବା ପରେ ସେପ୍ଟେମ୍ବର ୨୪ରେ ଶେଷ ହୋଇଥିଲା । ମୌସୁମୀ ଅଧିବେଶନ ପାଇଁ ବ୍ୟାପକ ପ୍ରତିଷେଧମୂଳକ ବ୍ୟବସ୍ଥା କରାଯାଇଥିବା ସତ୍ତ୍ୱେ ଅନେକ ଏମପି ଓ ସଂସଦର କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିଲେ । ମୌସୁମୀ ଅଧିବେଶନ ବେଳେ ଲୋକସଭା ଓ ରାଜ୍ୟସଭାରେ ପ୍ରଥମ ଥର ପାଇଁ ଅନେକ ପଦକ୍ଷେପ ନିଆଯାଇଥିଲା । ଉଭୟ ଗୃହରେ ସାଂସଦମାନେ ପରସ୍ପର ଠାରୁ ଦୂରତା ବଜାୟ ରଖିଥିଲେ । ଗୃହ ଭିତରକୁ ପ୍ରବେଶ ପୂର୍ବରୁ ସବୁ ଏମପି ଓ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ୍ କରାଯାଇଥିଲା ।

Comments are closed.