କରୋନାରେ ମିଲଖା ସିଂଙ୍କ ପତ୍ନୀ ନିର୍ମଳ କୌରଙ୍କ ପରଲୋକ

ନୂଆଦିଲ୍ଲୀ: ମହିଳା ଭଲିବଲ ଦଳର ପୂର୍ବତନ କ୍ୟାପଟେନ୍ ତଥା କିମ୍ବଦନ୍ତୀ ଧାବକ ମିଲଖା ସିଂଙ୍କ ପତ୍ନୀ ନିର୍ମଳ କୌରଙ୍କ ରବିବାର ଏକ ଘରୋଇ ହସ୍ପିଟାଲ୍ ରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଯାଇଛି । ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା | ସେ କରୋନା ଆକ୍ରାନ୍ତ ହୋଇ ମୋହାଲିର ଫୋର୍ଟିସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ମିଲଖା ମଧ୍ୟ କୋଭିଡ-୧୯ ପାଇଁ ହସ୍ପିଟାଲରେ ଚିକିତ୍ସିତ ହେଉଥିବାରୁ ନିର୍ମଳ କୌରଙ୍କ ଅନ୍ତିମ ସଂସ୍କାରରେ ସେ ଯୋଗ ଦେଇପାରିବେ ନାହିଁ ବୋଲି ତାଙ୍କ ପରିବାର ପକ୍ଷରୁ କୁହାଯାଇଛି ।

ନିକଟରେ ଉଭୟ ମିଲଖା ସିଂ ଏବଂ ତାଙ୍କ ପତ୍ନୀ ନିର୍ମଳ କୌର କରୋନା ସଂକ୍ରମିତ ହୋଇଥିଲେ । ଜୁନ୍ ୫ରେ ହସ୍ପିଟାଲ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଥିଲା ଯେ ମିଲଖା ସିଂଙ୍କ ଅବସ୍ଥା ସ୍ଥିର ଅଛି, କିନ୍ତୁ ତାଙ୍କ ପତ୍ନୀ ନିର୍ମଳଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେ ପ୍ରାୟ ତିନି ସପ୍ତାହ ପୂର୍ବରୁ କରୋନାରେ ସଂକ୍ରମିତ ହୋଇଥିଲେ।

ମେ ୨୦ରେ ମିଲଖା ସିଂଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା ଏବଂ ମେ ୩୧ରେ ତାଙ୍କର ରିପୋର୍ଟ ନେଗେଟିଭ ହେବା ପରେ ତାଙ୍କୁ ହସ୍ପିଟାଲରୁ ଘରକୁ ପଠାଯାଇଥିଲା। ଏହା ପରେ ସେ ଘରେ ଅକ୍ସିଜେନ ସପୋର୍ଟରେ ଥିଲେ। ତେବେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ମିଲଖା ସିଂଙ୍କୁ ଚଣ୍ଡିଗଡ଼ର ପିଜିଆଇ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା।

Comments are closed.