ଡେଲ୍‌ଟା ଭାରିଆଣ୍ଟ୍ ଏବେ ଆହୁରି ଘାତକ ‘ଡେଲ୍‌ଟା ପ୍ଲସ୍‌’ରେ ପରିଣତ, ନୂଆ ଭାରିଆଣ୍ଟ୍ ଉପରେ ଆଣ୍ଟିବଡ଼ି କକ୍‌ଟେଲ୍ ବି କାମ କରୁନି

ନୂଆଦିଲ୍ଲୀ: ଭାରତରେ ଦ୍ୱିତୀୟ ଲହରୀ ବିଭୀଷିକା ପାଇଁ ଦାୟୀ କୁହାଯାଉଥିବା ଡେଲ୍‌ଟା ଭାରିଆଣ୍ଟ୍ ଏବେ ଆହୁରି ଘାତକ ହୋଇଛି । ଏହି ଭାରିଆଣ୍ଟ୍ ଏବେ ରୂପ ବଦଳାଇଛି । ଏହି ନୂଆ ଭାରିଆଣ୍ଟ୍‌କୁ ‘ଡେଲ୍‌ଟା ପ୍ଲସ୍‌’ କୁହାଯାଉଛି । ଏପରିକି କରୋନା ରୋଗୀଙ୍କୁ ଦିଆଯାଉଥିବା ମୋନୋକ୍ଲୋନଲ୍ ଆଣ୍ଟିବଡି଼ କକ୍‌ଟେଲ୍ ମଧ୍ୟ ଏହି ନୂଆ ଭାରିଆଣ୍ଟ୍ ଉପରେ କାମ କରିନପାରେ ବୋଲି ବୈଜ୍ଞାନିକମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି । ସୂଚନାଯୋଗ୍ୟ, ଦେଶରେ ମୋନୋକ୍ଲୋନଲ ଆଣ୍ଟିବଡ଼ି କକ୍‌ଟେଲ୍‌ର ଜରୁରୀ ବ୍ୟବହାର ମେ’ରୁ ଆରମ୍ଭ ହୋଇଥିଲା ।

ବ୍ରିଟେନର ସ୍ୱାସ୍ଥ୍ୟ ବିଭାଗ ‘ପବ୍ଲିକ୍ ହେଲ୍‌ଥ ଇଂଲଣ୍ଡ (ପିଏଚ୍‌ଇ)’ ମୁତାବକ ଡେଲ୍‌ଟା ଭାରିଆଣ୍ଟ୍‌ର ୬୩ ଜିନୋମ୍ ନୂଆ ‘କେ୪୧୭ଏନ୍‌’ ମ୍ୟୁଟେସନ୍ ସହ ସାମ୍ନାକୁ ଆସିଛି । ଡେଲ୍‌ଟା ଭାରିଆଣ୍ଟ୍‌ର ମ୍ୟୁଟେସନ ସମ୍ବନ୍ଧୀୟ ଗବେଷଣା ବେଳେ ‘ଡେଲ୍‌ଟା ପ୍ଲସ୍‌’ ସମ୍ପର୍କରେ ଜଣାପଡିଥିଲା । କୋଭିଡ୍‌-୧୯ ଭାରିଆଣ୍ଟ୍ ଉପରେ ପିଏଚ୍‌ଇର ସଦ୍ୟତମ ରିପୋର୍ଟ ଅନୁଯାୟୀ ଭାରତରେ ଜୁନ୍ ୭ ସୁଦ୍ଧା ଡେଲ୍‌ଟା ପ୍ଲସ୍ ଭାରିଆଣ୍ଟ୍‌ର ୬ଟି ମାମଲା ସାମ୍ନାକୁ ଆସିଥିଲା ।

ଡେଲ୍‌ଟା ପ୍ଲସ୍ ଭାରିଆଣ୍ଟ୍‌କୁ ନେଇ ସବୁଠୁ ବଡ଼ ଚିନ୍ତା ହେଲା ଏହି ନୂଆ ଷ୍ଟ୍ରେନ୍ ମୋନୋକ୍ଲୋନଲ ଆଣ୍ଟିବଡ଼ି କକ୍‌ଟେଲ୍‌କୁ ବି ପ୍ରତିରୋଧ କରିବାର କ୍ଷମତା ରଖିଛି । ଏନେଇ ପ୍ରମାଣ ମଧ୍ୟ ମିଳିଥିବା ଦିଲ୍ଲୀର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଜିନୋମିକ୍ସ ଆଣ୍ଡ୍ ଇଣ୍ଟିଗ୍ରେଟିଭ୍ ବାୟୋଲୋଜିର ଡାକ୍ତର ବିନୋଦ ସ୍କୋରିଆ କହିଛନ୍ତି । ତେବେ ଭାରତରେ ସମ୍ପ୍ରତି ‘କେ୪୧୭ଏନ୍‌’ ମ୍ୟୁଟେସନର ବ୍ୟାପକତା ନାହିଁ ବୋଲି ସେ କହିଛନ୍ତି ।

Comments are closed.