ସୁଶାନ୍ତ ସିଂହଙ୍କ ମୃତ୍ୟୁକୁ ପୁରିଲା ବର୍ଷେ, ନିରପେକ୍ଷ ତଦନ୍ତ ପାଇଁ ଏନ୍‌ଏଚ୍‌ଆର୍‌ସିରେ ଆବେଦନ

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଆଜି ବର୍ଷେ ପୁରିଛି । ଗତବର୍ଷ ଜୁନ୍ ୧୪ରେ ବାନ୍ଦ୍ରା ସ୍ଥିତ ତାଙ୍କ ଫ୍ଲାଟ୍‌ରେ ସୁଶାନ୍ତଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତାଙ୍କର ଏଭଳି ଅଚାନକ ମୃତ୍ୟୁରେ ଫିଲ୍ମ ଜଗତ ଓ ପ୍ରଶଂସକମାନେ ସ୍ତବ୍ଧ ହୋଇଯାଇଥିଲେ । ସୁଶାନ୍ତ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଆସୁଛି । କିନ୍ତୁ ସେ କାହିଁକି ଏଭଳି ଚରମ ପଦକ୍ଷେପ ନେଲେ ତାର କାରଣ ଏ ଯାଏଁ ଜଣାପଡ଼ି ନାହିଁ । ସିବିଆଇ ଠାରୁ ଆରମ୍ଭ କରି ଏନ୍‌ସିବି ଏବଂ ଇଡି ଏହି ମାମଲାର ବିଭିନ୍ନ ଦିଗର ତଦନ୍ତ କରୁଥିଲେ ମଧ୍ୟ ସୁଶାନ୍ତଙ୍କ ମୃତ୍ୟୁର ରହସ୍ୟ ଭେଦ କରିପାରି ନାହାନ୍ତି ।
ସୁଶାନ୍ତଙ୍କ ମୃତ୍ୟୁର ଡ୍ରଗ୍ସ ଲିଙ୍କ୍‌ରେ ଏନ୍‌ସିବି ତାଙ୍କ ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିୟା ଚକ୍ରବତ୍ତି ଓ ତାଙ୍କ ଭାଇ ଶୌଭିକ ଚକ୍ରବର୍ତ୍ତିଙ୍କୁ ଗିରଫ କରିଥିଲା । ପରେ ଉଭୟ ଜାମିନରେ ମୁକୁଳିଥିଲେ । ନିକଟରେ ଏନ୍‌ସିବି ଏହି ମାମଲାରେ ସୁଶାନ୍ତଙ୍କ ବନ୍ଧୁ ସିଦ୍ଧାର୍ଥ ପିଥାନୀଙ୍କୁ ଗିରଫ କରିଛି । ପିଥାନି ସୁଶାନ୍ତଙ୍କ ସହ ବାନ୍ଦ୍ରା ସ୍ଥିତ ତାଙ୍କ ଫ୍ଲାଟ୍‌ରେ ରହୁଥିଲେ ।

ସୁଶାନ୍ତଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ବାପା ଓ ପ୍ରଶଂସକ ଅଭିଯୋଗ କରିଆସିଛନ୍ତି । ଆଉ କିଛି ସେ ମାନସିକ ଅବସାଦ ଯୋଗୁଁ ଆତ୍ମହତ୍ୟା କରିଛନ୍ତି ବୋଲି କହିଛନ୍ତି । ଏଥିପାଇଁ ବଲିଉଡ୍‌ରେ ଚାଲିଥିବା ‘ନେପୋଟିଜିମ୍‌’କୁ ଦାୟୀ କରିଛନ୍ତି ।

ସୁଶାନ୍ତଙ୍କ ମୃତ୍ୟୁ ନେଇ ତଦନ୍ତକୁ ବନ୍ଦ କରାଯିବ ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ ସିବିଆଇ ଏହାକୁ ଖଣ୍ଡନ କରିଛି । ଏହି ମାମଲାର ସବୁ ଦିଗକୁ ନେଇ ତଦନ୍ତ ଜାରି ରହିବ ବୋଲି ସିବିଆଇ ପକ୍ଷରୁ କୁହାଯାଇଛି । ଇତିମଧ୍ୟରେ ଆଇନ ଛାତ୍ର ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟର ପର୍ଦ୍ଦାଫାସ୍ ପାଇଁ ନିରପେକ୍ଷ ତଦନ୍ତର ଦାବି କରି ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି)ରେ ଆବେଦନ କରିଛନ୍ତି । ସୁଶାନ୍ତଙ୍କ ମୃତ୍ୟୁ ସ୍ୱାଭାବିକ ନଥିଲା । ସୁଶାନ୍ତଙ୍କୁ ତାଙ୍କର ଏବଂ ତାଙ୍କ ପରିବାର ଲୋକଙ୍କ ବିନା ଅନୁମତିରେ ଡ୍ରଗ୍ସ ଦିଆଯାଉଥିଲା । ତାଙ୍କୁ ବଲିଉଡ୍‌ର ‘ନେପୋଟିଜିମ୍‌’ ଗ୍ୟାଙ୍ଗ୍ ମାନସିକ ନିର୍ଯାତନା ଦେଉଥିଲେ ବୋଲି ଆବେଦନରେ ଦର୍ଶାଯାଇଛି ।

Comments are closed.