ଗଲଓ୍ବାନ ଘାଟିରେ ଭାରତ-ଚୀନ୍ ସଂଘର୍ଷକୁ ପୂରିଲା ବର୍ଷେ , ସହିଦ୍ ଯବାନଙ୍କୁ ସେନା ମୁଖ୍ୟଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ଗଲଓ୍ବାନ ଘାଟିରେ ଭାରତ ଓ ଚୀନ୍ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷକୁ ବର୍ଷେ ବିତିଛି | ଏହି ଅବସରରେ ଲେହର ଯୁଦ୍ଧ ସ୍ମାରକୀରେ ଚୀନ୍ ସହିତ ସଂଘର୍ଷରେ ବଳିଦାନ ଦେଇଥିବା ବୀର ସୈନିକ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ସେନା ମୁଖ୍ୟ ଜେନେରାଲ ଏମ.ଏମ ନାରାଓ୍ବଣେ ମଧ୍ୟ ସାହସୀ ସୈନିକମାନଙ୍କୁ ମନେ ପକାଇ କହିଥିଲେ ଯେ ସେମାନଙ୍କର ବୀରତ୍ୱ ଏବଂ ପରାକ୍ରମ ଦେଶର ହୃଦୟରେ ଏବଂ ମନରେ ସର୍ବଦା ରହିବ।

ଗତ ବର୍ଷ ଏହି ଦିନ ଅର୍ଥାତ୍ ଜୁନ୍ ୧୫-୧୬ ରାତ୍ରିରେ ପୂର୍ବ ଲଦାଖର ଗଲଓ୍ବାନ ଘାଟିରେ ଭାରତ ଏବଂ ଚୀନ୍ ସୈନ୍ୟ ବାହିନୀ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଘଟିଥିଲା। ଏହି ସଂଘର୍ଷରେ ସେନାର ୧୬ ବିହାର ୟୁନିଟ୍ (ରେଜିମେଣ୍ଟ) ର କମାଣ୍ଡିଂ ଅଫିସର କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ସମେତ ୨୦ ଜଣ ଭାରତୀୟ ସୈନିକ ଦେଶର ଅଖଣ୍ଡତା ତଥା ସାର୍ବଭୌମତ୍ୱ ପାଇଁ ପ୍ରାଣବଳି ଦେଇଥିଲେ। ଭାରତୀୟ ସେନା ପୂର୍ବ ଲଦାଖରେ ଚୀନ୍ ବିରୋଧରେ ଏହି ଅପରେସନକୁ ‘ଅପରେସନ୍ ସ୍ନୋ ଲିଓପାର୍ଡ’ ନାମରେ ନାମିତ କରିଥିଲା। ବିଶେଷ କଥା ହେଉଛି ଏହି ସଂଘର୍ଷରେ ଗୋଟିଏ ବି ଗୁଳି ବ୍ୟବହାର କରାଯାଇନଥିଲା। ଯୁଦ୍ଧରେ ଠେଙ୍ଗା, ବାଡ଼ି ଏବଂ ବର୍ଚ୍ଛା ବ୍ୟବହାର କରାଯାଇଥିଲା | ଶହୀଦ ହୋଇଥିବା ସୈନିକମାନଙ୍କ ସ୍ମୃତିରେ ଭାରତ ଗଲୱାନ ଉପତ୍ୟକାରେ ଏକ ଯୁଦ୍ଧ ସ୍ମାରକୀ ମଧ୍ୟ ନିର୍ମାଣ କରିଥିଲା।

୧୪ତମ କର୍ପସ୍ (ଫାୟାର ଆଣ୍ଡ ଫ୍ୟୁରି କର୍ପସ) ର ମୁଖ୍ୟ, ଲେହ, ମେଜର ଜେନେରାଲ ଆକାଶ କୌଶିକ କୋରାପୁଟର ସମସ୍ତ ସୈନିକଙ୍କ ତରଫରୁ ଗଲୱାନର ସହିଦ୍ ସୈନିକମାନଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ଗଲଓ୍ବାନ ଘାଟିରେ ଘଟିଥିବା ସଂଘର୍ଷରେ ଚୀନର ମଧ୍ୟ ବହୁ ସୈନ୍ୟଙ୍କ ମୃତ୍ୟୁ ହୋଇଥିଲା । କିନ୍ତୁ ଚୀନ୍ ଏନେଇ ନିଜଆଡୁ ସ୍ବୀକାର କରିନଥିଲା । ତେବେ ପ୍ରାୟ ଆଠ ମାସ ପରେ ଚଳିତ ବର୍ଷ ଫେବୃଆରୀରେ, ଚୀନ୍ ନିଜ ଚାରିଜଣ ସୈନିକଙ୍କୁ ମରଣୋତ୍ତୋର ଭାବେ ବାହାଦୂର ପଦକ ପ୍ରଦାନ କରିଥିଲା । ତେବେ ଯାଇ ଏହା ସ୍ପଷ୍ଟ ହୋଇଥିଲା ଯେ ଚୀନର ସୈନିକମାନେ ମଧ୍ୟ ଗଲଓ୍ବାନ ଘାଟି ସଂଘର୍ଷରେ ମୃତାହତ ହୋଇଥିଲ। ସେମାନଙ୍କ ମଧ୍ୟରୁ ଜଣଙ୍କୁ ‘ଶତାବ୍ଦୀର ହିରୋ’ ପୁରସ୍କାର ପ୍ରଦାନ କରାଯାଇଥିଲା। ଜଣେ କର୍ଣ୍ଣେଲ ପଦବୀ ଅଧିକାରୀ ମଧ୍ୟ ଗୁରୁତର ଆହତ ହୋଇଥିଲେ, ତାଙ୍କୁ ଗ୍ୟାଲେଣ୍ଟ୍ରି ପଦକ ମଧ୍ୟ ପ୍ରଦାନ କରାଯାଇଥିଲା। ଯଦି ଆମେରିକା ଏବଂ ରୁଷର ଗୁପ୍ତଚର ଏବଂ ଗଣମାଧ୍ୟମର ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଗଲଓ୍ବାନ ଘାଟି ସଂଘର୍ଷରେ ଅତି କମରେ ୪୫ ଜଣ ଚୀନ୍ ସୈନିକ ନିହତ ହୋଇଥିଲେ।

ଗଲଓ୍ବାନ ଘାଟି ସଂଘର୍ଷର ବର୍ଷକ ମଧ୍ୟରେ ଭାରତୀୟ ସେନା ସେହି ଅଞ୍ଚଳରେ ଚୀନର ପୁଣି କୌଣସି ଦୁଃସାହସ ପଦକ୍ଷେପକୁ ଭଣ୍ଡୁର କରିବା ପାଇଁ ଆଗ ଅପେକ୍ଷା ଆହୁରି ଅଧିକ ସତର୍କ ଓ ଭଲ ସ୍ଥିତିରେ ର‌ହିଛି ।

Comments are closed.