ଦିଲ୍ଲୀରେ ଆତଙ୍କୀ ଆକ୍ରମଣ ଯୋଜନା ପଣ୍ଡ, ଜୈଶ୍ ର ଦୁଇ ଆତଙ୍କବାଦୀ ଗିରଫ, ବିପୁଳ ବିସ୍ଫୋରକ ଜବତ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଜୈଶ-ଏ-ମହମ୍ମଦର ଦୁଇ ଆତଙ୍କବାଦୀଙ୍କୁ ଗିରଫ କରି ବଡ଼ ଧରଣର ଆତଙ୍କୀ ଆକ୍ରମଣ ଯୋଜନାକୁ ପଣ୍ଡ କରିଛି। ଏହି ଦୁଇ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଜାମ୍ମୁ କାଶ୍ମୀରର ବାରାମୁଲ୍ଲା ଏବଂ ଜଣେ କୁପୱାରା ଅଞ୍ଚଳର। ପୋଲିସ ସେମାନଙ୍କୁ ସରାଇକେଲ ଖାନରୁ ଗିରଫ କରିଥିଲା। ଉଭୟଙ୍କଠାରୁ ବିପୁଳ ପରିମାଣର ବିସ୍ଫୋରକ ଏବଂ କିଛି କାଗଜପତ୍ର ଜବତ କରାଯାଇଛି।

ପଚରାଉଚରା ବେଳେ ଜଣାପଡ଼ିଛ ଯେ ଏହି ଦୁଇ ଆତଙ୍କବାଦୀ ଦିଲ୍ଲୀ-ଏନସିଆରର ଅନେକ ସ୍ଥାନରେ ଆକ୍ରମଣ ଯୋଜନା କରୁଥିଲେ । ଅନେକ ଭିଭିଆଇପି ମଧ୍ୟ ତାଙ୍କ ଟାର୍ଗେଟରେ ଥିଲେ। ପୋଲିସ ସେମାନଙ୍କଠାରୁ ଦୁଇଟି ସେମି ଅଟୋମେଟିକ୍ ପିସ୍ତଲ ଏବଂ ୧୦ଟି ଲାଇଭ କାର୍ଟ୍ରିଜ ଜବତ କରିଛି। ପୋଲିସର ସୂଚନା ଅନୁସାରେ, ଦିଲ୍ଲୀରେ ବିସ୍ଫୋରଣ ଘଟାଇବା ପାଇଁ ଷଡଯନ୍ତ୍ର କରାଯାଇଥିଲା।

ଗିରଫ ଦୁଇ ଆତଙ୍କବାଦୀ ସୋସିଆଲ ମିଡିଆ ମାଧ୍ୟମରେ ଆତଙ୍କୀ ଗୋଷ୍ଠୀରେ ଯୋଗ ଦେଇଥିଲେ। ଦୁହେଁ ପାକିସ୍ତାନ ଯିବାକୁ ଚେଷ୍ଟା କରୁଥିଲେ । ସୀମା ପାର ହେବା ପାଇଁ ସେମାନେ ମଧ୍ୟ ଅନେକ ଥର ଚେଷ୍ଟା କରିଥିଲେ। ତେବେ ସୀମାରେ ଭାରତୀୟ ସେନାର କଡ଼ା ପ୍ରହରା ଯୋଗୁଁ ସେମାନେ ଏଥିରେ ସଫଳ ହୋଇପାରିନଥିଲେ ।

ସୂଚନା ଅନୁଯାୟୀ, ଦିଲ୍ଲୀ ପୋଲିସ ଏହି ଦୁଇଜଣଙ୍କ ବିଷୟରେ ଇନପୁଟ୍ ପାଇଥିଲା। ଉଭୟ ଆତଙ୍କବାଦୀଙ୍କ ବୟସ ୨୦ ରୁ ୨୨ ବର୍ଷ ବୋଲି କୁହାଯାଇଛି। ତଦନ୍ତ ରହିଥିବା ବେଳେ ଏହି ମାମଲାରେ ଆହୁରି ଅଧିକ ଗିରଫଦାରୀ ହୋଇପାରେ ବୋଲି ପୋଲିସ କହିଛି।

Comments are closed.