ବିରୋଧ ପ୍ରଦର୍ଶନ ଏବଂ ଆତଙ୍କବାଦ ମଧ୍ୟରେ ଥିବା ପାର୍ଥକ୍ୟ ସରକାର ଭୁଲି ଯାଉଛନ୍ତି : ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ବିରୋଧ ପ୍ରଦର୍ଶନ କରିବାର ସାମ୍ବିଧାନିକ ଅଧିକାର ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ ମଧ୍ୟରେ ପାର୍ଥକ୍ୟ ରହିଛି ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି । ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଗତବର୍ଷ ଦିଲ୍ଲୀରେ ଘଟିଥିବା ଦଙ୍ଗା ମାମଲାରେ ତିନି ସାମାଜିକ କର୍ମୀଙ୍କୁ ଜାମିନ ପ୍ରଦାନ କରିବା ବେଳେ ହାଇକୋର୍ଟ ଏହା କହିଛନ୍ତି । ଦିଲ୍ଲୀ ହାଇକୋର୍ଟ ଦେବଙ୍ଗନା କାଲିତା, ନତାଶା ନରୱାଲ ଏବଂ ଜାମିଆ ଛାତ୍ର ଆସିଫ ଇକବାଲ ତନ୍ହାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଗତ ବର୍ଷ ଉତ୍ତର-ପୂର୍ବ ଦିଲ୍ଲୀ ହିଂସା ମାମଲାରେ ସେମାନଙ୍କୁ କଡା ୟୁଏପିଏ ଆଇନ ଅଧୀନରେ ଗିରଫ କରାଯାଇଥିଲା। ସେମାନଙ୍କୁ ଜାମିନ ପ୍ରଦାନ ବେଳେ କୋର୍ଟ କହିଛନ୍ତି ଯେ ବିରୋଧ ପ୍ରଦର୍ଶନ କରିବା ଆତଙ୍କବାଦ ନୁହେଁ। ତଦନ୍ତ ଯେଭଳି ପ୍ରଭାବିତ ନ ହୁଏ ସେଥିପାଇଁ ଜାମିନ ପାଇଥିବା ତିନି ସାମାଜିକ କର୍ମୀ ସେମାନଙ୍କ ପାସପୋର୍ଟ ସରେଣ୍ଡର କରିବେ ଏବଂ କୌଣସି ବେଆଇନ କାର୍ଯ୍ୟକଳାପରେ ଲିପ୍ତ ରହିବେ ନାହିଁ ବୋଲି କୋର୍ଟ କହିଛନ୍ତି।

ସୂଚନାଯୋଗ୍ୟ ଯେ ନତାଶା ନରୱାଲ ଏବଂ ଦେବଙ୍ଗନା କଳିତା ଦିଲ୍ଲୀ ସ୍ଥିତ ମହିଳା ଅଧିକାର ଗୋଷ୍ଠୀ ‘ପିଞ୍ଜରା ତୋଡ୍’ର ସଦସ୍ୟ ଥିବାବେଳେ ଆସିଫ ଜାମିଆ ମିଲିଆ ଇସଲାମିଆର ଛାତ୍ର ଅଟନ୍ତି। ଉଲ୍ଲେଖନୀୟ କଥା ହେଉଛି, ଫେବୃଆରୀ ୨୦୨୦ରେ ଦିଲ୍ଲୀରେ ହୋଇଥିବା ଦଙ୍ଗାରେ ୫୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଦଙ୍ଗା ସମୟରେ ଅନେକ ଦୋକାନରେ ନିଆଁ ଲଗାଇ ଦିଆଯାଇଥିଲା ଏବଂ ସରକାରୀ ସମ୍ପତ୍ତି ନଷ୍ଟ ହୋଇଥିଲା। ବିବାଦୀୟ ନାଗରିକତା ଆଇନକୁ ନେଇ ଏହି ହିଂସା ଘଟିଥିଲା।

କୋର୍ଟ କହିଛନ୍ତି ଯେ, ସରକାର ପ୍ରଦର୍ଶନ ଏବଂ ଆତଙ୍କବାଦ ମଧ୍ୟରେ ଥିବା ଭିନ୍ନତା ହୃଦୟଙ୍ଗମ କରିବା ଆବଶ୍ୟକ। କିନ୍ତୁ ସରକାର ଏହା ଭୁଲି ଯାଉଛନ୍ତି । ପ୍ରଦର୍ଶନ କରିବା ଏକ ସାମ୍ବିଧାନିକ ବ୍ୟବସ୍ଥା ବୋଲି କୋର୍ଟ କହିଛନ୍ତି ।

Comments are closed.