ଟିକା ନେବା ପରେ ପ୍ରଥମ ଥର ଜଣଙ୍କର ମୃତ୍ୟୁ ନେଇ ସ୍ପଷ୍ଟ କଲେ ସରକାର

ନୂଆଦିଲ୍ଲୀ: ଦେଶରେ ପ୍ରଥମ ଥର ଟିକା ଯୋଗୁଁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ବୋଲି କେନ୍ଦ୍ର ସରକାରଙ୍କ ଏଇଏଫ୍ଆଇ କମିଟି ଏହାର ରିପୋର୍ଟରେ ସ୍ୱୀକାର କରିଛି | ମାର୍ଚ୍ଚ ୩୧ରେ ଟିକା ‌ନେବା ପରେ ଜଣେ ୬୮ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ବ୍ୟକ୍ତି ଜଣକ ଟିକାର ଦୁଇଟି ଯାକ ଡୋଜ୍ ଗ୍ରହଣ କରିଥିଲେ। ଆନାଫାଇଲକ୍ସିସ୍ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି ବୋଲି କୁହାଯାଇଛି । ତଥାପି ଟିକାର ଉପକାରିତା ବହୁ ଗୁଣ ଅଧିକ ବୋଲି ଏଇଏଫ୍ଆଇ କମିଟି ନିଜ ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛି | କେନ୍ଦ୍ର ସରକାରଙ୍କ ଏଇଏଫ୍ଆଇ କମିଟି ଟିକା ପରେ ପାର୍ଶ୍ଵ ପ୍ରତିକ୍ରିୟା ଉପରେ ନଜର ରଖେ | ପ୍ରଥମ ଥର ପାଇଁ ଏହି କମିଟି ଟିକା ଯୋଗୁଁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ମାନିଛି। ଦେଶରେ ଟିକାକରଣ ଆରମ୍ଭ ହେବା ପରଠାରୁ ଏଯାବତ୍ ୩୧ ଗୁରୁତର ପାର୍ଶ୍ଵ ପ୍ରତିକ୍ରିୟା ମାମଲା ରେକର୍ଡ କରାଯାଇଛି । ଏଥିମଧ୍ୟରୁ ୨୮ ଜଣଙ୍କର ମୃତ୍ୟୁ ହୋଇଥିଲା ବୋଲି ଏଇଏଫ୍ଆଇ କମିଟି ରିପୋର୍ଟରେ କୁହାଯାଇଛି ।

ଜାତୀୟ ଏଇଏଫ୍ଆଇ କମିଟିର ପରାମର୍ଶଦାତା ଏନ.କେ ଆରୋରା କହିଛନ୍ତି ଯେ ରିପୋର୍ଟ ଅନୁଯାୟୀ ଏହି ୨୮ଟି ମୃତ୍ୟୁ ମଧ୍ୟରୁ ଜଣଙ୍କର ଟିକା ଯୋଗୁଁ ମୃତ୍ୟୁ ଘଟିଛି। ତିନି ଜଣ ଲୋକ ଆନାଫାଇଲକ୍ସିସ୍ (ଟିକା ଗ୍ରହଣ କରିବାର ଅଧ ଘଣ୍ଟା ମଧ୍ୟରେ ଶରୀରରେ ଏକ ଭୟଙ୍କର ପାର୍ଶ୍ଵ ପ୍ରତିକ୍ରିୟା) ନେଇ ଅଭିଯୋଗ କରିଛନ୍ତି | ଦୁଇଜଣ ହସ୍ପିଟାଲରେ ଭର୍ତ୍ତି ହେବା ପରେ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ମୋଟ ୩୧ ଗମ୍ଭୀର ପାର୍ଶ୍ଵ ପ୍ରତିକ୍ରିୟା ମାମଲା ମଧ୍ୟରୁ ୧୮ଟି ଆକସ୍ମିକ ଥିଲା, ଯାହାର ଟିକା ସହିତ କୌଣସି ସମ୍ପର୍କ ନଥିଲା | ଆଉ ୭ଟି ମାମଲା ଏପରି ଥିଲା ଯେଉଁଥିରେ ଟୀକାକରଣ ପରେ ରୋଗୀର ଅବସ୍ଥା ଶୀଘ୍ର ବିଗିଡି ଯାଇଥିଲା । କିନ୍ତୁ ଟିକା କାରଣରୁ ଘଟିଥିବାର କୌଣସି ପ୍ରମାଣ ମିଳି ନଥିଲା ବୋଲି ଆରୋରା କହିଛନ୍ତି

Comments are closed.