ଦଶମ, ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ପ୍ରି-ବୋର୍ଡ ପରୀକ୍ଷା ଆଧାରରେ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ପ୍ରସ୍ତୁତ କରାଯିବ, ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କଲେ ସରକାର

ନୂଆଦିଲ୍ଲୀ: କରୋନା ପାଇଁ ବାତିଲ ହୋଇଥିବା ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀର ରେଜଲ୍ଟ କିପରି ପ୍ରସ୍ତୁତ କରାଯିବ ସେନେଇ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରାଯାଇଛି । ସରକାରଙ୍କ ଫର୍ମୁଲା ଅନୁସାରେ ଦଶମ, ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପ୍ରି-ବୋର୍ଡ ପରୀକ୍ଷାରେ ମିଳିଥିବା ନମ୍ବର ଆଧାରରେ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ଚୂଡାନ୍ତ କରାଯିବ । ସରକାର କହିଛନ୍ତି ଯେ, ଦଶମ ଓ ଏକାଦଶ ଶ୍ରେଣୀର ତିନୋଟି ଲେଖାଏଁ ବିଷୟର ସର୍ବାଧିକ ନମ୍ବର ବିଚାରକୁ ନିଆଯିବ । ଜୁଲାଇ ୩୧ ସୁଦ୍ଧା ରେଜଲ୍ଟ ପ୍ରକାଶ କରାଯିବ ।

ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ, ଦଶମ ଓ ଏକାଦଶ ଶ୍ରେଣୀର ପ୍ରଦର୍ଶନକୁ ୩୦% ଲେଖାଏଁ ଓ ଦ୍ୱାଦଶ ଶ୍ରେଣୀ ପ୍ରି-ବୋର୍ଡ ପ୍ରଦର୍ଶନକୁ ୪୦% ମାର୍କ ଦିଆଯିବ । ଯେଉଁ ଛାତ୍ରଛାତ୍ରୀ ଏହି ଫର୍ମୁଲାରେ ସନ୍ତୁଷ୍ଟ ନୁହନ୍ତି ଏବଂ ପରୀକ୍ଷା ଦେବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଅଲଗା ବ୍ୟବସ୍ଥା କରାଯିବ । ତେବେ ଏହି ମାମଲାର ଶୁଣାଣି ଜାରି ରହିଛି । ଏହା ଉପରେ ସୁପ୍ରିମକୋର୍ଟଙ୍କ ରାୟ ପରେ ହିଁ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ।

ଉଲ୍ଲେଖଯୋଗ୍ୟ ଯେ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଜୁନ୍ ୧ରେ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ କରିଥିଲେ । ଏହି ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ, ଦ୍ୱାଦଶ ଶ୍ରେଣୀ ପରୀକ୍ଷାର ରେଜଲ୍ଟ ନିର୍ଦ୍ଧାରିତ ସମୟରେ ଏବଂ ଯୁକ୍ତିସଙ୍ଗତ ଫର୍ମୁଲା ଆଧାରରେ ପ୍ରକାଶ କରାଯିବ ।

Comments are closed.