ନତାଶା, ଦେବାଙ୍ଗନା ଓ ଇକବାଲଙ୍କୁ ତୁରନ୍ତ ମୁକ୍ତ କରିବା ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଗୁରୁବାର ଦିଲ୍ଲୀର ଏକ କୋର୍ଟ ଛାତ୍ରକର୍ମୀ ନତାଶା ନରୱାଲ, ଦେବାଙ୍ଗନା କାଲିତା ଏବଂ ଆସିଫ ଇକବାଲ ତନ୍ହାଙ୍କୁ ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ତିନିଜଣଙ୍କୁ ଗତ ବର୍ଷ ମେ ମାସରେ ଗିରଫ କରାଯାଇଥିଲା। ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧରେ ଏହି ତିନିଜଣ ସ୍ୱର ଉତ୍ତୋଳନ କରିଥିଲେ। ଗତ ବର୍ଷ ଫେବୃଆରୀରେ ଉତ୍ତର-ପୂର୍ବ ଦିଲ୍ଲୀରେ ହୋଇଥିବା ଦଙ୍ଗା ଘଟଣାରେ ପୋଲିସ ସେମାନଙ୍କୁ ବେଆଇନ କାର୍ଯ୍ୟକଳାପ ନିରୋଧୀ ଆଇନ (ୟୁଏପିଏ) ଅନୁଯାୟୀ ଗିରଫ କରିଥିଲା।

ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ଦିନ ଏହି ତିନିଜଣଙ୍କୁ ଜାମିନ ପ୍ରଦାନ କରିଥିଲେ ମଧ୍ୟ ଜେଲ୍ କର୍ତ୍ତୃପକ୍ଷ ସେମାନଙ୍କୁ ମୁକ୍ତ କରି ନାହାଁନ୍ତି। ନରୱାଲ ଏବଂ କାଲିଟା ‘ପିଞ୍ଜରା ତୋଡ୍’ ଆନ୍ଦୋଳନର କର୍ମୀ ଏବଂ ଇକବାଲ ଆସିଫ ଜାମିଆର ଛାତ୍ର ଅଟନ୍ତି।

ଛାତ୍ରକର୍ମୀଙ୍କ ମୁକ୍ତି ପାଇଁ ଆଉ ତିନି ଦିନ ସମୟ ଦେବା ପାଇଁ ଦିଲ୍ଲୀ ପୋଲିସର ଆବେଦନକୁ ଗୁରୁବାର ଦିଲ୍ଲୀର କୁଡକୁଡଡୋମା କୋର୍ଟର ଅତିରିକ୍ତ ସେସନ୍ସ ଜଜ୍ ରବିନ୍ଦର ବେଦୀ ଖାରଜ କରିଦେଇଛନ୍ତି। ପୋଲିସ ଯୁକ୍ତି ଦର୍ଶାଇଥିଲା ଯେ ସେମାନଙ୍କ ଠିକଣା ଯାଞ୍ଚ ପାଇଁ ସମୟ ଲାଗିବ। ଏହି ତିନି ଛାତ୍ରକର୍ମୀ ଦିଲ୍ଲୀ କୋର୍ଟର ଏହି ଆଦେଶ ପୂର୍ବରୁ ଦିଲ୍ଲୀ ହାଇକୋର୍ଟଙ୍କ ନିକଟରେ ପହଞ୍ଚିଥିଲେ। ଜାମିନ ସତ୍ତ୍ୱେ ମୁକ୍ତ ନକରିବା ଆଇନର ଉଲ୍ଲଂଘନ ବୋଲି ସେମାନେ କୋର୍ଟରେ କହିଛନ୍ତି। ଛାତ୍ରକର୍ମୀଙ୍କୁ ଜାମିନ ପ୍ରଦାନ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ବିରୋଧ କରି ବୁଧବାର ଦିଲ୍ଲୀ ପୋଲିସ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲା ।

Comments are closed.