ରାଜସ୍ଥାନ ବିଜେପିରେ ଫାଟ, ଦଳୀୟ ବୈଠକକୁ ଆସୁ ନାହାନ୍ତି ବସୁନ୍ଧରା ରାଜେ

ନୂଆଦିଲ୍ଲୀ: ରାଜସ୍ଥାନ ବିଜେପିରେ ଗୋଷ୍ଠୀ କନ୍ଦଳ ତୀବ୍ର ହେବାରେ ଲାଗିଛି । ଦଳୀୟ ନେତୃବର୍ଗ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ମଧ୍ୟରେ ମତଭେଦ ପଦାରେ ପଡ଼ିଛି । ରାଜେ କିଛି ଦିନ ହେଲା ଦଳୀୟ ବୈଠକରେ ଆଉ ଯୋଗ ଦେଉନାହାନ୍ତି । ସାଂଗଠନିକ କାର୍ଯ୍ୟରୁ ମଧ୍ୟ ସେ ଦୂରେଇ ରହୁଛନ୍ତି ।

ଏହାରି ମଧ୍ୟରେ ରାଜ୍ୟ ବିଜେପିର ବହୁଥର ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଥିଲେ ମଧ୍ୟ ତନ୍ମଧ୍ୟରୁ ଅଧିକାଂଶ ବୈଠକରେ ରାଜେ ଯୋଗ ଦେଇ ନାହାନ୍ତି ବୋଲି ଦଳର ଜଣେ ବରିଷ୍ଠ ନେତା କହିଛନ୍ତି । ଅନ୍ୟପକ୍ଷେ ରାଜ୍ୟ ବିଜେପି ମୁଖ୍ୟାଳୟରେ ଲାଗିଥିବା ପୋଷ୍ଟରରେ ମଧ୍ୟ ରାଜେଙ୍କ ଫଟୋ ନ ରହିବା ଦଳରେ ଥିବା ଫାଟକୁ ସ୍ପଷ୍ଟ କରିଛି ।

କିଛି ନେତା ମଧ୍ୟ ବସୁନ୍ଧରାଙ୍କ ଆତ୍ମ କୈନ୍ଦ୍ରିକ ଆଭିମୁଖ୍ୟକୁ ସମାଲୋଚନା କରିଛନ୍ତି । ଦଳ ଅପେକ୍ଷା ସେ ନିଜ ଉପରେ ଅଧିକ ଫୋକସ୍ କରୁଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି ।

ଗତ ଜୁନ୍ ୯ରେ ଅଶୋକ ଗେହେଲଟ୍ ସରକାର ବିରୋଧରେ ରାଜ୍ୟ ବିଜେପି ପକ୍ଷରୁ ଏକ ହାଶ୍‌ଟାଗ୍ କ୍ୟାମ୍ପେନ୍ ଆରମ୍ଭ କରାଯାଇଥିଲା । ଏଥିରେ ରାଜ୍ୟ ବିଜେପିର ସବୁ ନେତା ଅଂଶଗ୍ରହଣ କରିଥିବା ବେଳେ ବସୁନ୍ଧରା ଏହି ଅଭିଯାନ ସପକ୍ଷରେ ଗୋଟିଏ ବି ଟ୍ୱିଟ୍ କରିନଥିଲେ । ରାଜସ୍ଥାନ ବିଜେପିର ନୂଆ ହୋର୍ଡିଂରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ରାଜସ୍ଥାନ ବିରୋଧୀ ଦଳ ନେତା ଗୁଲାବ ଚାନ୍ଦ କଟାରିଆ ଏବଂ ରାଜ୍ୟ ସଭାପତି ସତୀଶ ପୁନିଆଙ୍କ ଫଟୋ ରହିଥିବା ବେଳେ ବସୁନ୍ଧରା ରାଜେଙ୍କ ଫଟୋକୁ ବାଦ୍ ଦିଆଯାଇଛି ।

Comments are closed.