ପୁରୀ: ଶ୍ରୀମନ୍ଦିରରେ ରୁକ୍ମିଣୀ ବିବାହ ନୀତି ସମ୍ପନ୍ନ

ପୁରୀ: ଜ୍ୟେଷ୍ଠ ଶୁକ୍ଳ ନିର୍ଜଳା ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ପାଳିତ ହୋଇଯାଇଛି ରୁକ୍ମିଣୀ ବିବାହ ଉତ୍ସବ। ସ୍ଥାନୀୟ ଭାଷାରେ ଏହାକୁ ରୁକ୍ମିଣୀ ହରଣ ଏକାଦଶୀ କୁହାଯାଇଥାଏ।
ଏକାଦଶୀ ପୂର୍ବଦିନ ଶୁକ୍ଳ ଦଶମୀରେ ଶ୍ରୀ ମଦନମୋହନଙ୍କ ସଂଧ୍ୟାନୀତି ପରେ ରାଜେନ୍ଦ୍ରାଭିଷେକ ନୀତି ସମ୍ପନ୍ନ ହୋଇଥିଲା। ଶ୍ରୀମଦ ଭାଗବତ ଆଧାରରେ ଏକାଦଶୀ ତିଥିରେ ଶ୍ରୀମଦନମୋହନଙ୍କ ସହ ରୁକ୍ମିଣୀଙ୍କ ବିବାହ ନୀତି ଅନୁଷ୍ଠିତ ହୋଇଥିଲା। ସକାଳଧୂପ ପରେ ଶ୍ରୀଦେବୀ(ରୁକ୍ମିଣୀ ) ଆଜ୍ଞାମାଳ ପାଇ ଶ୍ରୀଲଷ୍ମୀଙ୍କ ଜଗମୋହନକୁ ବିଜେ କରିଥିଲେ। ସେଠାରେ ପଞ୍ଚମୃତ ସ୍ନାନ ସହ ବନକଲାଗି ହୋଇ ଅଳଙ୍କାର ପରିଧାନ କରାଯାଇଥିଲା। ସେହି ସମୟରେ ଶ୍ରୀମଦନମୋହନ ଆଜ୍ଞାମାଳ ପାଇ ଜୟବିଜୟ ଦ୍ୱାରରେ ବସିଥିଲେ। ଏହି ସମୟରେ ରୁକ୍ମିଣୀ ଜଣେ ବ୍ରାହ୍ମଣ ହାତରେ ତାଙ୍କୁ ହରଣ କରିନେବାକୁ ଶ୍ରୀମଦନମୋହନଙ୍କ ନିକଟକୁ ଏକ ଚିଟାଉ ପଠାଇ ଥିଲେ। ଛାମୁ ଖୁଣ୍ଟିଆଙ୍କ ଉପସ୍ଥିତିରେ ବଡ଼ପଣ୍ଡା ସାମନ୍ତ ଏହି ଚିଟାଉ ପାଠ କରିଥିଲେ। ଚିଟାଉ ପାଠପରେ ଶ୍ରୀମଦନମୋହନ ସାତ ପାହାଚ ତଳେ ଥିବା ରଥରେ ବିଜେକରି ବିମଳା ମନ୍ଦିର ନିକଟରେ ଲୁଚି ରହିଥିଲେ। ରୁକ୍ମିଣୀ ବିମଳାଙ୍କ ପୂଜସାରି ଆସିବା ପରେ ଶ୍ରୀମଦନମୋହନଙ୍କ ପ୍ରତିନିଧି ଭିତରଛୁ ମହାପାତ୍ର ରୁକ୍ମିଣୀଙ୍କୁ ମଦନମୋହନଙ୍କ ରଥରେ ବିଜେ କରାଇଥିଲେ। ଏହାପରେ ପାଦୁକ କୁଣ୍ଡ ପାଖରେ ଶ୍ରୀମଦନମୋହନଙ୍କ ସହ ଶିଶୁପାଳ ଯୁଦ୍ଧ କରି ହାରିଥିଲେ। ବଳରାମ ମଣିବିମାନରେ ଆସି ଶିଶୁପାଳଙ୍କୁ ବନ୍ଧନ ମୁକ୍ତ କଲାପରେ ଦେବଦମ୍ପତି ବିବାହ ମଣ୍ଡପକୁ ବିଜେ କରିଥିଲେ।

ଶ୍ରୀଜୀଉଙ୍କ ସନ୍ଧ୍ୟାଧୂପ ପରେ ବୈଦିକ ରୀତିରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଆଜି ସନ୍ଧ୍ୟାରେ ଦେବ ଦମ୍ପତି ରାଜନହର ସହ ଜମେଶ୍ୱର ମନ୍ଦିରକୁ ବିଜେ କରିବେ। ପରମ୍ପରା ଅନୁଯାୟୀ ସେଠାରେ ପଞ୍ଚୁଗ୍ରାସୀ ଭୋଜନ ହେବାପରେ ଶ୍ରୀମଦନମୋହନ ଓ ରୁକ୍ମିଣୀ ଶ୍ରୀମନ୍ଦିରକୁ ବାହୁଡା ବିଜେ କରିବେ।

 

Comments are closed.