ଲୋକସଭାରେ ପହଞ୍ଚିଲା ନୁସରତ ଜାହାନଙ୍କ ବିବାହ ପ୍ରସଙ୍ଗ, ସଦସ୍ୟତା ରଦ୍ଦ ପାଇଁ ଦାବି କଲେ ବିଜେପି ସାଂସଦ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ବସିରହାଟରୁ ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ଥିବା ନୁସରତ ଜାହାନଙ୍କ ବିବାହ ପ୍ରସଙ୍ଗ ଏବେ ଲୋକସଭାରେ ପହଞ୍ଚିଛି। ବିଜେପି ସାଂସଦ ସଂଘମିତ୍ରା ମୌର୍ଯ୍ୟ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖି ନୁସରତଙ୍କ ଲୋକସଭା ସଦସ୍ୟତା ରଦ୍ଦ କରିବାକୁ ଦାବି କରିଛନ୍ତି।

ସଂଘମିତ୍ରା କହିଛନ୍ତି ଯେ ନୁସରତ ନିଜ ବିବାହ ପ୍ରସଙ୍ଗରେ ଭୋଟରଙ୍କୁ ବିଭ୍ରାନ୍ତ କରିଛନ୍ତି। ଏଥିସହ ସେ ସଂସଦର ସମ୍ମାନ ମଧ୍ୟ କ୍ଷୁର୍ଣ୍ଣ କରିଛନ୍ତି। ଏହି ମାମଲା ସଂସଦର ନୈତିକ କମିଟି ନିକଟକୁ ପଠାଯିବା ସହ ତାଙ୍କ ବିରୋଧରେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସେ ଦାବି କରିଛନ୍ତି।

ଉତ୍ତରପ୍ରଦେଶର ବଦାୟୁଁ ଲୋକସଭା ଆସନରୁ ସାଂସଦ ଥିବା ସଂଘମିତ୍ରା ଲୋକସଭା ବାଚସ୍ପତି ପାଖକୁ ଚିଠିରେ ଲେଖିଛନ୍ତି ଯେ, ଲୋକସଭାର ସଦସ୍ୟ ଭାବରେ ଶପଥ ଗ୍ରହଣ ସମୟରେ ନୁସରତ ଜାହାନ ତାଙ୍କ ନାମ ନୁସରତ ଜାହାନ ରୁହି ଜୈନ ବୋଲି ପ୍ରକାଶ କରିଥିଲେ। ଲୋକସଭା ଓ୍ବେବସାଇଟରେ ବି ତାଙ୍କ ସ୍ୱାମୀଙ୍କ ନାମ ନିଖିଲ ଜୈନ ବୋଲି ଉଲ୍ଲେଖ ରହିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନୁସରତଙ୍କ ବିବାହ ଭୋଜିରେ ଯୋଗ ଦେଇଥିଲେ। ନୁସରତଙ୍କ ବ୍ୟକ୍ତିଗତ ଜୀବନରେ କେହି ହସ୍ତକ୍ଷେପ କରିବା ଉଚିତ୍ ନୁହେଁ, କିନ୍ତୁ ତାଙ୍କର ବର୍ତ୍ତମାନର ବିବୃତ୍ତିରୁ ସ୍ପଷ୍ଟ ହେଉଛି ଯେ ସେ ଜାଣିଶୁଣି ସଂସଦକୁ ଭୁଲ ତଥ୍ୟ ଦେଇଛନ୍ତି। ସେ ଭୋଟରଙ୍କ ପ୍ରତି ବିଶ୍ଵାସ ଘାତକତା କରିଛନ୍ତି।

ତୁର୍କୀ ବିବାହ ନିୟମାବଳୀ ଆଧାରରେ ନିଖିଲ ଏବଂ ନୁସରତ ୧୯ ଜୁନ୍ ୨୦୧୯ରେ ତୁର୍କୀରେ ବିବାହ କରିଥିଲେ। ଏହାର ଆଳ ଦେଖାଇ ନିଖିଲଙ୍କ ଠାରୁ ଅଲଗା ହେବା ପାଇଁ ତାଙ୍କ ବିରୋଧରେ ଛାଡପତ୍ର ପାଇଁ ଆବେଦନ କରିବାକୁ ମନା କରିଦେଇଥିଲେ ନୁସରତ। ନୁସରତ କହିଥିଲେ ଯେ ଭାରତରେ ତୁର୍କୀ ଆଇନ ବୈଧ ନୁହେଁ । ତେଣୁ ତାଙ୍କ ବିବାହ ମଧ୍ୟ ଏଠାରେ ସ୍ୱୀକୃତିପ୍ରାପ୍ତ ନୁହେଁ। ସେ ନିଖିଲଙ୍କ ସହ ଲିଭ-ଇନ୍ ସମ୍ପର୍କରେ ରହୁଥିଲେ।

ନିଖିଲ ତାଙ୍କ ବିନା ଅନୁମତିରେ ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟରୁ ବହୁ ଥର ଟଙ୍କା ଉଠାଇଛନ୍ତି ବୋଲି ନୁସରତ ଅଭିଯୋଗ କରିଥିଲେ । ହେଲେ ନୁସରତଙ୍କ ଅଭିଯୋଗକୁ ନିଖିଲ ଖଣ୍ଡନ କରିଆସିଛନ୍ତି । ନୁସରତ ପାଇଁ ସେ ବହୁତ କିଛି କରିଛନ୍ତି । ତାଙ୍କ ସହ ବିବାହକୁ ରେଜିଷ୍ଟର କରିବାକୁ ନୁସରତ ରାଜି ହେଉନଥିଲେ ବୋଲି ନିଖିଲ କହିଛନ୍ତି ।

ନିଖିଲଙ୍କ ଠାରୁ ଅଲଗା ହେବା ପରେ ବିଜେପି ନେତା ୟଶ୍ ଦାସଗୁପ୍ତାଙ୍କ ସହ ନୁସରତଙ୍କ ଆଫେୟର ନେଇ ଚର୍ଚ୍ଚା ହେଉଛି । ଏପରିକି ୟଶଙ୍କ ପିଲାର ସେ ମା’ ହେବାକୁ ଯାଉଛନ୍ତି ବୋଲି ମଧ୍ୟ ଶୁଣାଯାଉଛି ।

Comments are closed.