ଟିଆରପି ସ୍କାମ: ଦ୍ବିତୀୟ ଚାର୍ଜସିଟରେ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଲା ମୁମ୍ବାଇ ପୋଲିସ

ମୁମ୍ବାଇ: ଟେଲିଭିଜନ ରେଟିଂ ପଏଣ୍ଟ ଜାଲିଆତି ମାମଲାରେ ମୁମ୍ବାଇ ପୋଲିସ ପକ୍ଷରୁ ଦାଖଲ ହୋଇଥିବା ଦ୍ୱିତୀୟ ଚାର୍ଜସିଟରେ ଟିଭି ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀଙ୍କ ନାମ ରହିଛି । ତାଙ୍କୁ ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ଭାବେ ଦର୍ଶାଯାଇଛି ।

ଏହି ମାମଲାର ଯାଞ୍ଚ୍ କରୁଥିବା ମୁମ୍ବାଇ ପୋଲିସର କ୍ରାଇମ ଇଣ୍ଟେଲିଜେନ୍ସ ୟୁନିଟ୍ ମଙ୍ଗଳବାର ମୁମ୍ବାଇ କୋର୍ଟରେ ଜଣେ ମାଜିଷ୍ଟ୍ରେଟଙ୍କ ନିକଟରେ ଏହି ଚାର୍ଜସିଟ୍ ଦାଖଲ କରିଛି।

ଦ୍ଵିତୀୟ ଚାର୍ଜସିଟରେ ଅନ୍ୟମାନଙ୍କ ମଧ୍ୟରେ ରିପବ୍ଲିକ୍ ଟିଭିର ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ ଏବଂ ତାଙ୍କ ମିଡିଆ ସଂସ୍ଥା ଆର୍.ଜି.ଆଉଟଲିୟରକୁ ଅଭିଯୁକ୍ତ କରାଯାଇଛି ବୋଲି ତାଙ୍କ ଓକିଲ ସ୍ପଷ୍ଟ କରିଛନ୍ତି ।

ଟିଆରପି ସ୍କାମ ଗତ ବର୍ଷ ଅକ୍ଟୋବରରେ ସାମ୍ନାକୁ ଆସିଥିଲା । ରେଟିଂ ଏଜେନ୍ସି ବ୍ରଡକାଷ୍ଟ ଅଡିଏନ୍ସ ରିସର୍ଚ୍ଚ କାଉନସିଲ (ବାର୍କ) ହାନସା ରିସର୍ଚ୍ଚ ଗ୍ରୁପ ମାଧ୍ୟମରେ ଅଭିଯୋଗ କରିଥିଲା ​​ଯେ କିଛି ଟେଲିଭିଜନ ଚ୍ୟାନେଲ ଟିଆରପି ନମ୍ବରରେ ଟ୍ୟାମ୍ପରିଂ କରୁଛନ୍ତି। ସେମାନେ ଲୋକଙ୍କୁ ଟଙ୍କା ଦେଇ ନିଜ ଚ୍ୟାନେଲ ଦେଖିବାକୁ କହୁଛନ୍ତି ।

Comments are closed.