ରିଲିଜ୍ ହେଲା ଭାରତର ଅଫିସିଆଲ ଅଲିମ୍ପିକ୍ ସଂଗୀତ ‘ତୁ ଠାନ୍ ଲେ..’

ନୂଆଦିଲ୍ଲୀ: ଆଉ ମାସକ ପରେ ଆରମ୍ଭ ହୋଇଯିବ ଟୋକିଓ ଅଲିମ୍ପିକ୍ସ । ଏହି କ୍ରୀଡ଼ା ମହାକୁମ୍ଭ ପାଇଁ ଆଥଲେଟଙ୍କୁ ଉତ୍ସାହିତ କରିବା ପାଇଁ ଭାରତର ଅଫିସିଆଲ୍ ଅଲିମ୍ପିକ୍ ସଂଗୀତ ରିଲିଜ୍ ହୋଇଛି । କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ୍ ରିଜିଜୁ ‘ତୁ ଠାନ୍ ଲେ..’ ଶୀର୍ଷକ ଏହି ଅଫିସିଆଲ ଅଲିମ୍ପିକ୍ ସଂଗୀତକୁ ରିଲିଜ୍ କରିଛନ୍ତି । ଏହି ଗୀତର ସ୍ୱର ସଂଯୋଜନା କରିଛନ୍ତି ଲୋକପ୍ରିୟ କଣ୍ଠଶିଳ୍ପୀ ଓ ସଂଗୀତକାର ମୋହିତ ଚୌହ୍ୱାନ ।

ଦିଲ୍ଲୀର ଜବାହାରଲାଲ ନେହରୁ ଷ୍ଟାଡିୟମରେ ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ) ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଅଫିସିଆଲ୍ ଅଲିମ୍ପିକ୍ ସଂଗୀତ ରିଲିଜ୍ ହୋଇଥିଲା । ଏହି ଅବସରରେ କ୍ରୀଡ଼ାମନ୍ତ୍ରୀ ରିିଜିଜୁଙ୍କ ସମେତ ଆଇଓଏ ସଭାପତି ନରିନ୍ଦର ବାତ୍ରା, ଆଇଓଏ ମହାସଚିବ, ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ମହାନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ ।

କୋଭିଡ୍‌-୧୯ ମହାମାରୀ ପାଇଁ ପୂର୍ବରୁ ବର୍ଷେ ସ୍ଥଗିତ ହେବା ପରେ ଟୋକିଓ ଅଲିମ୍ପିକ୍ସ ଜୁଲାଇ ୨୩ରୁ ଆରମ୍ଭ ହେଉଛି । ଏହି କ୍ରୀଡ଼ା ମହାକୁମ୍ଭ ଅଗଷ୍ଟ ୮ ଯାଏଁ ଚାଲିବ । ଟୋକିଓ ଅଲିମ୍ପିକ୍ସ ପାଇଁ ଏଯାବତ୍ ଭାରତର ୧୦୦ରୁ ଊର୍ଦ୍ଧ୍ୱ ଆଥଲେଟ୍ ଯୋଗ୍ୟତା ହାସଲ କରିସାରିଛନ୍ତି ।

Comments are closed.