ଜମ୍ମୁ-କାଶ୍ମୀର ନେତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି, ଖୁବ୍‌ଶୀଘ୍ର ହେବ ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରର ନେତାଙ୍କ ସହ ପ୍ରଧାନମନ୍ତ୍ରୀ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ପ୍ରାୟ ତିନି ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ଜମ୍ମୁ-କାଶ୍ମୀରର ୮ ରାଜନୈତିକ ଦଳର ୧୪ ନେତା ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ବୈଠକରେ ମୋଦି ଜାମ୍ମୁ-କାଶ୍ମୀରରେ ଖୁବଶୀଘ୍ର ବିଧାନସଭା ନିର୍ବାଚନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଜମ୍ମୁ-କାଶ୍ମୀର ଠାରୁ ଦିଲ୍ଲୀ ଏବଂ ହୃଦୟର ଦୂରତା କମିବ ବୋଲି କହିଛନ୍ତି ମୋଦି । ସୀମା ପୁନଃ ନିର୍ଦ୍ଧାରଣ ପ୍ରକ୍ରିୟା ଶେଷ ହେବା ପରେ ଜମ୍ମୁ-କାଶ୍ମୀରରେ ଅତିଶୀଘ୍ର ନିର୍ବାଚନ ଅନୁଷ୍ଠିତ ହେବ । ଜମ୍ମୁ-କାଶ୍ମୀରକୁ ପୁଣି ପୂର୍ଣ୍ଣ ରାଜ୍ୟ ମାନ୍ୟତା ପ୍ରଦାନ କରାଯିବ ବୋଲି ମୋଦି କହିଛନ୍ତି ।

ବୈଠକରେ ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା, ମହବୁବା ମୁଫ୍‌ତିଙ୍କ ସମେତ ଗୁପକର ଗୋଷ୍ଠୀର ଅନେକ ବଡ଼ ନେତା ଯୋଗ ଦେଇଥିଲେ । ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଏବଂ କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବି ଆଜାଦ ଉପସ୍ଥିତ ଥିଲେ ।
ରାଜନୈତିକ ମତଭେଦ ସତ୍ତ୍ୱେ ସମସ୍ତେ ମିଶି ଦେଶର ସ୍ୱାର୍ଥରେ କାମ କରିବା ଉଚିତ । ଯାହା ଫଳରେ ଜାମ୍ମୁ-କାଶ୍ମୀର ଲୋକଙ୍କ ମଙ୍ଗଳ ହୋଇପାରିବ ବୋଲି ମୋଦି କହିଛନ୍ତି । ଜମ୍ମୁ-କାଶ୍ମୀରର ସମସ୍ତଙ୍କ ପାଇଁ ସୁରକ୍ଷା ଓ ସୁରକ୍ଷାର ବାତାବରଣ ସୁନିଶ୍ଚିତ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ମୋଦି କହିଥିଲେ ଯେ ବିଧାନସଭା ନିର୍ବାଚନ ପାଇଁ ସୀମା ପୁନଃ ନିର୍ଦ୍ଧାରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବା ଆବଶ୍ୟକ ।

ଉଲ୍ଲେଖଯୋଗ୍ୟ , ଅଗଷ୍ଟ ୫, ୨୦୧୯ରେ କେନ୍ଦ୍ର ସରକାର ଜାମ୍ମୁ-କାଶ୍ମୀରର ସ୍ୱତନ୍ତ୍ର ମାନ୍ୟତା ପ୍ରତ୍ୟାହାର କରିଥିଲେ । ଏହି ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ-କାଶ୍ମୀର ଓ ଲଦାଖରେ ବିଭକ୍ତ କରିଥିଲେ । ସରକାରଙ୍କ ଏହି ଐତିହାସିକ ନିଷ୍ପତ୍ତି ପରେ ଜାମ୍ମୁ-କାଶ୍ମୀରରେ ଅନେକ ନେତାଙ୍କ ଉପରେ କଟକଣା ଲଗାଯିବା ସହ ସେମାନଙ୍କୁ ଗୃହବନ୍ଦୀ କରାଯାଇଥିଲା । ଉପତ୍ୟକାରେ ଇଣ୍ଟରନେଟ୍ ସେବା ମଧ୍ୟ କିଛି ଦିନ ପାଇଁ ବନ୍ଦ କରି ଦିଆଯାଇଥିଲା । ପରେ କେନ୍ଦ୍ର ଜାମ୍ମୁ-କାଶ୍ମୀର ଉପରୁ କଟକଣା ଉଠାଇ ଗୃହବନ୍ଦୀ ନେତାଙ୍କୁ ମୁକ୍ତ କରିଥିଲା ।

Comments are closed.