ମ୍ୟାଲେରିଆ ଶୂନ୍ୟ ରାଜ୍ୟ ଦିଗରେ ଓଡ଼ିଶା, ଗତ ତିନି ବର୍ଷ ମଧ୍ୟରେ ପଜିଟିର ହାର ୯୦ ପ୍ରତିଶତ ହ୍ରାସ

ଓଡ଼ିଶାର ମଡ଼େଲକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ବାରା ବେଷ୍ଟ ପ୍ରାକଟିସ୍ ଭାବେ ସ୍ବୀକୃତି

ପ୍ରତିରୋଧକ ପଦକ୍ଷେପକୁ ବ୍ୟାପକ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ମ୍ୟାଲେରିଆ ପ୍ରବଣ ରାଜ୍ୟର ବିଶାଦ ଅତିକ୍ରମ କରି ଓଡ଼ିଶା ବର୍ତ୍ତମାନ ମ୍ୟାଲେରିଆ ଶୁନ୍ୟ ରାଜ୍ୟ ଦିଗରେ ଗତି କରିବା ଆରମ୍ଭ କରିଛି । ୨୦୧୬ ରୁ ୨୦୧୯ ମସିହା ମଧ୍ୟରେ ରାଜ୍ୟରେ ମ୍ୟାଲେରିଆ ପଜିଟିଭ୍ ହାର ୯୦ ଶତକତା କମିଛି । ଏହି ସମୟ ମଧ୍ୟରେ ମୃତ୍ୟୁ ସଂଖ୍ୟା ୭୭ରୁ ୯ କୁ ହ୍ରାସ ପାଇଛି । ୨୦୨୦ ମସିହାରେ ମଧ୍ୟ ଏହି ଧାରା ବଜାୟ ରହିଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅକ୍ଷତାରେ ଅନୁଷ୍ଠିତ ରାଜ୍ୟ ଆନ୍ତଃ-ବିଭାଗୀୟ ସମନ୍ବୟ ବୈଠକର ଆଲୋଚନାରୁ ଏହା ଜଣାପଡିଛି । ଲୋକସେବା ଭବନରୁ ଡ଼ିଜିଟାଲ୍ ମୋଡ଼ରେ ଅନୁଷ୍ଠିତ ଏହି ବୈଠକରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ମ୍ୟାଲେରିଆ ନିରାକରଣ ସମ୍ବନ୍ଧିତ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ ।

ବିଗତ ବର୍ଷ ମାନଙ୍କରେ ନିଆଯାଇଥିବା ପଦକ୍ଷେପ ଏବଂ ମ୍ୟାଲେରିଆ ସ୍ଥିତି ବିଷୟ ସମୀକ୍ଷା କରି ଚଳିତ ବର୍ଷ ସମାନ୍ୟ ମ୍ୟାଲେରିଆ ସଂକ୍ରମଣ ପ୍ରତିରୋଧ ନିମନ୍ତେ ଆଗୁଆ ପଦକ୍ଷେପ ନେବା ପାଇଁ ମୁଖ୍ୟ ଶାସନ ସଚିବ ମହାପାତ୍ର ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଶେଷତଃ ଶିଳ୍ପାଞ୍ଚଳ , ଖଣିଖାଦନ ଅଞ୍ଚଳ , ସୁଦୂର ଗ୍ରାମାଞ୍ଚଳ , ଜଙ୍ଗଲ ଅଞ୍ଚଳରେ ଥିବା ଜନବସତି ଆଦି ଉପରେ ସ୍ବତନ୍ତ୍ର ସ୍ଥାନ ଦେବା ନିମନ୍ତେ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ସହରାଞ୍ଚଳରେ ଥିବା ଛୋଟ ଛୋଟ ସ୍ଥିର ଜଳାଶୟ ଗୁଡିକରେ ମଶା ବଂଶ ନାଶକାରୀ ତେଲ ପକାଇବା , ବିଭିନ୍ନ ଜଳାଶୟ ଓ ନଳା ଇତ୍ୟାଦିରେ ଜୀବାଣୁ ଖାଦଙ୍କ ମାଛ ଛାଡିବା ସହ ମଶା ଜୀବାଣୁର ବଂଶବୃଦ୍ଧି – ଚକ୍ର ଛିନ୍ନ କରିବା ନିମନ୍ତେ ସମସ୍ତ ପ୍ରକାର ପଦକ୍ଷେପ ନେବା ପାଇଁ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ବିଭିନ୍ନ ଶିଳାନୁଷ୍ଠାନମାନେ ସ୍ବତନ୍ତ୍ର ଜନସ୍ବାସ୍ଥ୍ୟ ୟୁନିଟ୍ ପ୍ରତିଷ୍ଠା କରିବା ସହ ନିଜ ନିଜର କର୍ମଚାରୀମାନଙ୍କର ପରୀକ୍ଷଣ ଏବଂ ସଂପୃକ୍ତ ଅଞ୍ଚଳରେ ମ୍ୟାଲେରିଆ ସଂକ୍ରମଣ ନିରୀକ୍ଷଣ ଜାରି ରଖୁବାକୁ କୁହାଯାଇଥିଲା । ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା କାର୍ଯ୍ୟରେ ରାଜ୍ୟର ପ୍ରାୟ ୧୦ ହଜାର ଜିଲ୍ଲା ବ୍ଲକ୍ ଓ ଫଚାୟତ କଳାକାର ସଂଘ ଏବଂ ୫୦୦ ପ୍ରକାର ଲୋକକଳାକୁ ସାମିଲ କରିବା ପାଇଁ ବୈଠକରେ ନିଷ୍ପତି ହୋଇଥିଲା ।

ମ୍ୟାଲେରିଆ ସ୍ଥିତି ବିଷୟରେ ସଦ୍ୟତନ ତଥ୍ୟ ଉପସ୍ଥାପନ କରି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡଃ ନିରଞ୍ଜନ ମିଶ୍ର କହିଲେ ଯେ ୨୦୧୬ ମସିହାରେ ୪.୪୪ ଲକ୍ଷ ମ୍ୟାଲେରିଆ ପଜିଟିଭ୍ କେସ୍ ଚିହ୍ନଟ ହୋଇଥିଲା । ୭୭ ଜଣ ମ୍ୟାଲେରିଆ ରୋଗରେ ପ୍ରାଣ ହରାଇଥିଲେ । ୨୦୧୯ ମସିହା ବେଳକୁ ପଜିଟିଲ୍ ଏବଂ ମୃତ୍ୟୁ ସଂଖ୍ୟା ହ୍ରାସ ପାଇ ଯଥାକ୍ରମେ ୩୯,୫୫୬ ଏବଂ ୯ ରେ ପହଞ୍ଚିଲା । ୨୦୨୦ ମସିହାରେ ମଧ୍ୟ ଏହି ହ୍ରାସ ବଜାୟ ରହି ଥିଲା । ୨୦୧୮ ରୁ ୨୦୧୯ ମସିହା ମଧ୍ୟରେ ସର୍ବଭାରତୀୟ ସଂକ୍ରମଣ ହାର ୧୭ % ଭାଗ କମିବାବେଳେ ଓଡ଼ିଶାରେ ସଂକ୍ରମଣ ହାର ୪୦ % ଭାଗ କମିଲା । ସେହିପରି ୨୦୧୬ ମସିହାରେ ବାର୍ଷିକ ପାରାସାଇଟ୍ ହାର ମାତ୍ର ୮ ଟି ଜିଲ୍ଲାରେ ୧ ରୁ ତଳେ ରହିଅଲା । ୨୦୧୯ ମସିହା ବେଳକୁ ସ୍ଥିତିର ଘାଟି ହେତୁ ଏହି ହାର ୨୩ ଟି ଜିଲ୍ଲାରେ ୧ ରୁ ଜଳ ରହିଥିଲା ।

ଏହିସବୁ ତଥ୍ୟ ଭିଭିରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓଡ଼ିଶାରେ ମ୍ୟାଲେରିଆ ନିରାକରଣ କାର୍ଯ୍ୟଧାରାକୁ ଏକ ଉତ୍ତମ ପ୍ରାମାଣିତ ପଢା ( ବେଷ୍ଠ ପ୍ରାକଟିସ୍ ) ଭାବେ ବିଶ୍ବ ମ୍ୟାଲେରିଆ ବିବରଣୀ – ୨୦୨୦ ରେ ସ୍ଥାନିତ କରିଛନ୍ତି । ସୂଚନାଯୋଗ୍ୟ , ମ୍ୟାଲେରିଆ ବିରୁଦ୍ଧ ଅଭିଯାନଭାବେ ରାଜ୍ୟ ସରକାର ଦୁର୍ଗମ ଅଂଚଳରେ ମ୍ୟାଲେରିଆ ନିରାକରଣ ( ଦମନ ) ନାମକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ପ୍ରାପ୍ତ ସୂଚନାରୁ ଜଣାପଡିଛି , ୨୦୧୮ ରୁ ୨୦୨୦ ବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୧୬ , ୦୮୮ ଟି ମ୍ୟାଲେରିଆ ନିରାକରଣ କ୍ୟାମ୍ପ ଆୟୋଜନ କରାଯାଇଛି । କେନ୍ଦ୍ରୀୟ ମନ୍ତ୍ରଣାଳୟରୁ ମିଳିବା ପ୍ରାୟ ୧.୫୭ କୋଟି ଜୀବାଣୁ ନାଶକ ମଶାରୀ ବଣ୍ଟନ କରାଯାଇ ଏହାର ଉପଯୁକ୍ତ ବ୍ୟବହାର ନିମନ୍ତେ ବ୍ୟାପକ ସଚେତନତା ଓ ଅନୁଧାବନ କାର୍ଯ୍ୟକ୍ରମ କରାଯାଇଛି । ଏହା ଫଳରେ ପ୍ରାୟ ୨.୮ କୋଟି ଲୋକଙ୍କୁ ମ୍ୟାଲେରିଆ ସଂକ୍ରମଣରୁ ସୁରକ୍ଷା ଦିଆଯାଇଛି ।

ଏହି ସମୟ ମଧ୍ୟରେ ୪୮ , ୪୫୫ ଜଣ ଆଶାକର୍ମୀଙ୍କୁ ମ୍ୟାଲେରିଆ ଚିହ୍ନଟ ଓ ଚିକିତ୍ସା ପରିଚାଳନା ବିଷୟରେ ତାଲିମ ଦିଆଯାଇ କାର୍ଯ୍ୟରେ ନିୟୋଜିତ କରାଯାଇଛି । ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା , ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର , ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା , ସୂଚନା ଓ ଲୋକ ସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ , ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ , ପଂଚାୟତିରାଜ ଓ ପାନୀୟ ଜଳ ଯୋଗାଣ ପ୍ରମୁଖ ଶାସନ ସଚିବ ଦେଓରଂଜନ କୁମାର ସିଂ , ଗୃହ ଓ ନଗର ଉନ୍ନୟନ ପ୍ରମୁଖ ଶାସନ ସଚିବ ଜି.ମଥିଭାଥାନନ୍ , ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଶାଳିନୀ ପଣ୍ଡିତଙ୍କ ସମେତ ସଂପୃକ୍ତ ବିଭାଗର ଶାସନ ସଚିବ ଓ ପ୍ରମୁଖ ଶାସନ ସଚିବମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Comments are closed.