ବିନା ପରୀକ୍ଷାରେ ମ୍ୟାଟ୍ରିକ ଫଳ ପ୍ରକାଶ, ପାସ ହାର ୯୭ ଦଶମିକ ୮୯ ପ୍ରତିଶତ

ଭୁବନେଶ୍ୱର- ଏ ବର୍ଷର ମ୍ୟାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି । ବିନା ପରୀକ୍ଷାରେ ଫଳ ପ୍ରକାଶ ପାଇଛି । ଏକ ବିଶେଷ ମୂଲ୍ୟାୟନ ପଦ୍ଧତି ଦ୍ୱାରା ରେଜଲ୍ଟ ଆସିଛି । ପାସ୍ ହାର ରହିଛି ୯୭ ଦଶମିକ ୮୯ ପ୍ରତିଶତ । ମୋଟ ୫ ଲକ୍ଷ ୭୪ ହଜାର ୧୨୫ ପିଲା ପରୀକ୍ଷା ଦେଇଥିବା ବେଳେ ୫ ଲକ୍ଷ ୬୨ ହଜାର ୧୦ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ଜଗତସିଂହପୁର ଜିଲ୍ଲାରେ ପାସ୍ ହାର ସର୍ବାଧିକ ୯୯ ଦଶମିକ ୦୯ ପ୍ରତିଶତ ରହିଛି । ବଲାଙ୍ଗିର ଜିଲ୍ଲାରେ ପାସ୍ ହାର ସର୍ବନିମ୍ନ ୯୪ ଦଶମିକ ୯୭ ପ୍ରତିଶତ ରହିଛି । ୫ ହଜାର ୯୪୫ଟି ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ କୌଣସି ସ୍କୁଲରେ ଶୂନ ରେଜଲ୍ଟ ହୋଇନାହିଁ ।
କରୋନା ଯୋଗୁଁ ଜାରି ଲକଡାଉନ କାରଣରୁ ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷା ହୋଇ ପାରି ନ ଥିଲା । ନବମ ଓ ଦଶମ ଶ୍ରେଣୀ ପରୀକ୍ଷାରେ ଛାତ୍ରଛାତ୍ରୀମାନେ ରଖିଥିବା ମାର୍କ ଆଧାରରେ ମ୍ୟାଟ୍ରିକ ପରୀକ୍ଷାର ମୂଲ୍ୟାୟନ କରାଯାଇଥିଲା । ସେହି ଅନୁସାରେ ପିଲାଙ୍କୁ ମାର୍କ ଦିଆଯାଇଛି । ଯେହେତୁ ପରୀକ୍ଷା ହୋଇ ନ ଥିଲା,ତେଣୁ ପିଲାମାନଙ୍କୁ ଆଡମିଟ କାର୍ଡ ଜାରି ହୋଇ ନ ଥିଲା । ତେଣୁ ଫଳ ପ୍ରକାଶନ ପାଇଁ ବୋର୍ଡ ପକ୍ଷରୁ ପିଲାଙ୍କ ରୋଲ୍ ନମ୍ବର ଜେନେରେଟ କରାଯାଇଥିଲା । ଶିକ୍ଷକମାନେ ରୋଲ୍ ନମ୍ବର ଆଧାରରେ ନିଜ ନିଜ ସ୍କୁଲର ପିଲାଙ୍କ ମୂଲ୍ୟାୟନ କରି ବୋର୍ଡର ୱେବସାଇଟରେ ମାର୍କ ଅପଲୋଡ୍ କରିଥିଲେ । ସେହି ମାର୍କର ତର୍ଜମା କରି ବୋର୍ଡ ପକ୍ଷରୁ ପରୀକ୍ଷା ଫଳ ପ୍ରକାଶ କରାଯାଇଛି ।

Comments are closed.