ଅପହଞ୍ଚଙ୍କ ପାଖରେ ପହଞ୍ଚିଲା ପ୍ରଶାସନ

ପ୍ରଶାସନକୁ ସର୍ବବ୍ୟାପୀ କରି ସର୍ବତ୍ର ପହଞ୍ଚାଇ ତୃଣମୂଳସ୍ତରରେ ସରକାରୀ ଯୋଜନାର ସୁଫଳ ପହଞ୍ଚାଇବା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ସମୟରେ ଗୁରୁତ୍ବାରୋପ କରି ଆସିଛନ୍ତି। ନିଜେ ମଧ୍ୟ ତୃଣମୂଳସ୍ତରରେ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ କରୋନା ମହାମାରୀ କାଳରେ ମଧ୍ୟ ଭର୍ଚୁଆଲ୍ ମାଧ୍ୟମରେ ସେ ପ୍ରଶାସନିକ ଅଧିକାରୀ, ଜନପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ତୃଣମୂଳସ୍ତରର ସାଧାରଣ ଜନତାଙ୍କ ନିକଟରେ ପହଞ୍ଚିବାକୁ ପ୍ରୟାସ କରି ଆସିଛନ୍ତି। ସୁଶାସନର ସେଇ ମାର୍ଗଦର୍ଶନକୁ ଆଧାର କରି ବିଭିନ୍ନ ଜିଲ୍ଲାରେ ଅନେକ ସମୟରେ ପ୍ରଶାସନିକ ଅଧିକାରୀମାନେ ଦୁର୍ଗମ ଇଲାକାରେ ଲୋକଙ୍କ ନିକଟରେ ପହଞ୍ଚିବାରେ ଲାଗିଛନ୍ତି। ଆଉ ଏଭଳି ଏକ ନଜିର ନିକଟରେ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକରୁ ଆସିଛି। ବ୍ଲକ୍ ସଦର ମହକୁମାରୁ ୨୫ କିମି ଦୂର, ମାଣିକେଶ୍ଵର ପଞ୍ଚାୟତ ମୁଖ୍ୟାଳୟ ଠାରୁ ୧୫ କିମି ଦୂରରେ ଥିବା ଡାଙ୍ଗିଣି ଗ୍ରାମରେ ପ୍ରଥମ କରି ବ୍ଲକ୍ ପ୍ରଶାସନର ଅଧିକାରୀମାନେ ପହଞ୍ଚିଥିଲେ। ଲୋକଙ୍କ ସୁବିଧା ଅସୁବିଧା ବୁଝିଥିଲେ। ସରକାରୀ ଯୋଜନାର ସୁଫଳ କିଭଳି ସେମାନଙ୍କ ନିକଟରେ ସୁବିଧାରେ ପହଞ୍ଚିପାରିବ ଆଲୋଚନା କରିଥିଲେ। ଏଥିସହ କରୋନା ମହାମାରୀରୁ ସୁରକ୍ଷିତ ରହିବା ନେଇ ମଧ୍ୟ ଆଲୋଚନା କରିଥିଲେ।

ପାହାଡ଼, ଜଙ୍ଗଲଘେରା କନ୍ଧମାଳ ଜିଲ୍ଲା। ଜନବସତିର ଘନତ୍ବ କମ୍। ଗୋଟିଏ ଗାଁରୁ ଅନ୍ୟ ଗାଁର ଦୂରତା ମଧ୍ୟ ବେଶ୍ ଅଧିକ। ପୁଣି ଏଭଳି ଅନେକ ଗାଁ ରହିଛି ଯାହା ରାସ୍ତାରୁ ଅନେକ ଦୂର, ଜଙ୍ଗଲ ମଧ୍ୟରେ ତଥା ପାହାଡ଼ ଉପରେ ରହିଥାଏ। ଜିଲ୍ଲାର ଆଦିବାସୀଙ୍କ ପାଇଁ ଏହା ସାଧାରଣ କଥା। ହେଲେ ଜିଲ୍ଲାର ଦୁର୍ଗମ ଭୌଗୋଳିକ ସ୍ଥିତି ସବୁବେଳେ ପ୍ରଶାସନ ପାଇଁ ଏକ ଆହ୍ବାନ ରହି ଆସିଛି। ତଥାପି ମୁଖ୍ୟମନ୍ତ୍ରୀଙ୍କ ପ୍ରେରଣାରେ ପ୍ରଶାସନକୁ ଲୋକଙ୍କ ନିକଟତର କରାଇବା ଉଦ୍ୟମକ୍ରମେ ରାଇକିଆ ବ୍ଳକ୍ ପ୍ରଶାସନର ଅଧିକାରୀମାନେ ପାହାଡ଼ ଚଢ଼ି ଡାଙ୍ଗିଣି ଗ୍ରାମରେ ପହଞ୍ଚିଛନ୍ତି। ଆଜି ପର୍ଯ୍ୟନ୍ତ ଏହି ଦୁର୍ଗମ ଇଲାକାକୁ ପ୍ରଶାସନର କୌଣସି ବଡ଼ ଅଧିକାରୀଙ୍କ ପାଦ ପଡ଼ିନଥିଲା। କରୋନାର ଦ୍ବିତୀୟ ଲହର ଧିରେ ଧିରେ ଗ୍ରାମାଞ୍ଚଳମୁହାଁ ହେବା ଆଶଙ୍କା ଥିବାରୁ ଗାଁ ଲୋକଙ୍କୁ ସଚେତନ କରାଇବାକୁ ନିଷ୍ପତ୍ତି ନେଇଥିଲା ପ୍ରଶାସନ। ଆଉ ପ୍ରତିଟି ଗାଁରେ ପହଞ୍ଚିବାକୁ ଲକ୍ଷ୍ୟରେ ରଖି ବିଡିଓ ପ୍ରବୀଣ କୁମାର ବାଣୁଆ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ଯନ୍ତ୍ରୀ ପ୍ରଦ୍ୟୁମ୍ନ ବିଷୋୟୀ, ସରପଞ୍ଚ ଭୂଷଣ ପ୍ରଧାନ ଓ ଅନ୍ୟ ଅଧିକାରୀ ତଥା ଜନ ପ୍ରତିନିଧି ମିଶି ଗାଁରେ ପହଞ୍ଚିଥିଲେ। ସେଠାରେ ଗାଁ ଲୋକଙ୍କୁ ଏକାଠି କରାଇ ଆଲୋଚନା କରିଥିଲେ।

ଏଥିପାଇଁ ଝିପିଝିପି ବର୍ଷାରେ ଜଙ୍ଗଲ ଦେଇ ପାହାଡ଼ିଆ ରାସ୍ତା ଚଢ଼ି ଅଧିକାରୀଙ୍କୁ ପ୍ରାୟ ୩ କିମି ଦୂର ଚାଲି ଚାଲି ଯିବାକୁ ପଡ଼ିଥିଲା। ସେପଟେ ପ୍ରଶାସନିକ ଅଧିକାରୀଙ୍କୁ ଦେଖି କୃତଜ୍ଞତା ଜଣାଇଥିଲେ ଗ୍ରାମବାସୀ। ସେମାନଙ୍କ ଆଶା ଏବେ ଗାଁର ସମସ୍ୟା ସମାଧାନ ହେବ। କରୋନା ସଚେତନତା ସୃଷ୍ଟି ସହ ଗାଁ ଲୋକଙ୍କୁ ମାସ୍କ, ସାବୁନ ବିତରଣ କରିଥିଲେ ବିଡିଓ, ସରପଞ୍ଚ। ଗ୍ରାମବାସୀଙ୍କୁ ଶତ ପ୍ରତିଶତ ଟିକାକରଣ ନେଇ ମଧ୍ୟ ବିଡିଓ ଲୋକଙ୍କୁ ବୁଝାଇଥିଲେ। ମୋଟାମୋଟି କହିବାକୁ ଗଲେ ଶାସନକୁ ଲୋକଙ୍କ ନିକଟତର କରାଇବାକୁ ରାଇକିଆ ବ୍ଲକ୍ ପ୍ରଶାସନର ଏହି ପ୍ରୟାସ ପ୍ରଶଂସନୀୟ ନିଶ୍ଚିତ।

Comments are closed.