ପୁରୀ : ଅଣସର ସମୟରେ ଶ୍ରୀଅଲାରନାଥଙ୍କ ଦର୍ଶନର ମହାତ୍ମ୍ୟ

ବିଶ୍ଵନିଅନ୍ତା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଲୀଳା ଅପାର। ତାଙ୍କ ଲୀଳାକୁ ବୁଝିନପାରି ବେଦ ଶେଷରେ ନେତି ନେତି ଘୋଷଣା କରିଛନ୍ତି। ଅର୍ଥାତ ଆମେ ଶ୍ରୀପୁରୁଷୋତ୍ତମଙ୍କ ଲୀଳା ଜାଣିବାକୁ ଅସମର୍ଥ। ଏହି ଲୀଳାମୟ ପୁରୁଷଙ୍କ ଅଣସର ଲୀଳା ଏକ ବିଚିତ୍ର ଲୀଳା। ଯାହା ବୁଝିବା ଅତି ଦୁଷ୍କର। ଅଣସର ଲୀଳାର ଅନ୍ୟ ଏକ ଅଙ୍ଗ ହେଉଛି ଶ୍ରୀ ମନ୍ଦିର ବାହାରେ ବିରାଜମାନ କରିଥିବା ଶ୍ରୀ ଅଲାରନାଥ ଲୀଳା।

ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀମନ୍ଦିରର ଚତୁର୍ଦ୍ଧା ବିଗ୍ରହ ମହାସ୍ନାନ କଲାପରେ ପନ୍ଦର ଦିନ ନିଭୃତ ଅଣସର ପିଣ୍ଡିରେ ଲୌକିକ ମତରେ ଜ୍ଵରରେ ପଡ଼ିଥାନ୍ତି। ଏହି ସମୟରେ ଶ୍ରୀଜୀଉଙ୍କ ଗୁପ୍ତସେବା ଅନୁଷ୍ଠିତ ହୋଇଥାଏ। ସାଧାରଣ ଭକ୍ତଙ୍କ ପାଇଁ ମହାପ୍ରଭୁଙ୍କ ଶ୍ରୀମୁଖ ଦର୍ଶନ ବନ୍ଦ ରହିଥାଏ। ଭକ୍ତବତ୍ସଳ ମହାପ୍ରଭୁ ଭକ୍ତର ଏହି ଦର୍ଶନ ଜନିତ ବେଦନା କୁ ନିବାରଣ କରିବା ପାଇଁ ସ୍ୱୟଂ ଶ୍ରୀଅଲାରନାଥ ରୂପରେ ଦର୍ଶନ ଦେଇଥାନ୍ତି।

ଶ୍ରୀକ୍ଷେତ୍ର ପୁରୀ ଠାରୁ ଦକ୍ଷିଣକୁ ପ୍ରାୟ କୋଡିଏ କିଲୋମିଟର ଦୂର ବ୍ରହ୍ମଗିରି ଠାରେ ରହିଛି ପ୍ରସିଦ୍ଧ ଶ୍ରୀଅଲାରନାଥ ଦେବ ମନ୍ଦିର। ଅନବସର ପନ୍ଦର ଦିନ ଏହାଙ୍କୁ ଦର୍ଶନ କଲେ ଶ୍ରୀଜଗନ୍ନାଥଙ୍କ ଦର୍ଶନର ସମସ୍ତ ଫଳ ମିଳିଥାଏ। ପୁରୁଷୋତ୍ତମ ଚନ୍ଦ୍ରିକା ବର୍ଣ୍ଣନା ଅନୁଯାୟୀ ଏକଦା ଶ୍ରୀ ସମ୍ପ୍ରଦାୟର ଅଲବନ୍ଦାଚାର୍ଯ୍ୟ ଅନବସର ସମୟରେ ପୁରୀ ଆସି ଶ୍ରୀଜୀଉଙ୍କ ଦର୍ଶନରୁ ବଞ୍ଚିତ ହୋଇଥିଲେ।ସିଏ ସୁଖ୍ମରେ ନିଜ ତନ୍ତ୍ର ବଳରେ ଏକ ମାଛି ରୂପରେ ଅଣସର ଘରେ ପ୍ରଵେଶ କରି କିଛି ଦେଖି ପାରିନଥିଲେ । କେବଳ ଅଷ୍ଟଦଳ ପଦ୍ମ ପାଖୁଡ଼ାରେ ଅଷ୍ଟ ସଖୀ ତାଙ୍କୁ ଉପହାସ କରୁଥିବା ଦେଖିବାକୁ ପାଇଲେ। ପ୍ରଭୁଙ୍କ ଦର୍ଶନ ବିରହରେ ସମୁଦ୍ରରେ ଝାସ ଦେବାକୁ ଯିବାବେଳେ ଭୁଲ ବଶତଃ ଦକ୍ଷିଣ ଦିଗକୁ ଚାଲି ଆସିଥିଲେ। ଏହିସ୍ଥାନଟି ଥିଲା ବ୍ରହ୍ମଗିରି ନାମକ ସୁରମ୍ୟ ସ୍ଥାନ। ଏହିଠାରେ ଭକ୍ତ ଅଲବନ୍ଦାଚାର୍ଯ୍ୟଙ୍କୁ ସ୍ୱୟଂ ଜଗନ୍ନାଥ ଚତୁର୍ଭୁଜ ନାରାୟଣ ରୂପରେ ଦର୍ଶନ ଦେଇଥିଲେ। ସେହିଦିନ ଠାରୁ ଠାକୁରଙ୍କ ନାମ ରହିଲା ଅଲବିନ୍ଦା ନାଥ। ଯାହା ବର୍ତ୍ତମାନ ଅପଭ୍ରଂଶରେ ହୋଇଛି ଅଲାରନାଥ। ପଞ୍ଚଦଶ ଶତାବ୍ଦୀରେ ଏହି ପୀଠ ଦର୍ଶନରେ ଆସିଥିଲେ ମହାପ୍ରଭୁ ଶ୍ରୀଚୈତନ୍ୟ। ପ୍ରଭୁ ଅଲାରନାଥଙ୍କ ଅପରୂପ ରୂପଲାବଣ୍ୟ ଦେଖି ବିମୋହିତ ହୋଇ ପଡ଼ିଥିଲେ। ତାଙ୍କର ଭାବର ତରଙ୍ଗରେ ପ୍ରଭୁଙ୍କ ସମ୍ମୁଖ ପଥର ତରଳି ଯାଇଥିଲା। ସେହି ପଥର ଗାତ୍ରରେ ଆଜିବି ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ଅଷ୍ଟାଙ୍ଗ ଶରୀର ଚିହ୍ନମନ୍ଦିର ବେଢାରେ ବିଦ୍ୟମାନ। ଶ୍ରୀଶ୍ରୀ ରାଧାରମଣଦେବଙ୍କ ନିର୍ଦ୍ଦେଶରେ ଶ୍ରୀପାଦ ରାମଦାସ ବାବାଜୀ ମହାରାଜ ଏହି ସ୍ମୃତିଶିଳା ପାଇଁ ସୁନ୍ଦର ମନ୍ଦିର ନିର୍ମାଣ କରି ପୂଜାର ବ୍ୟବସ୍ଥା କରିଛନ୍ତି।

ଶ୍ରୀଅଲାରନାଥ ଦେବଙ୍କ ସମ୍ବନ୍ଧରେ ଏକ ସୁନ୍ଦର ଆଖ୍ୟାୟିକା ରହିଛି। ଯାହା ଜନ ମାନସରେ ବେଶ ପ୍ରସିଦ୍ଧ। ଶ୍ରୀଅଲାରନାଥ ହେଉଛନ୍ତି କ୍ଷୀରି ପ୍ରିୟ ଠାକୁର। ଶ୍ରୀଅଲାରନାଥଙ୍କ ପୂଜକ ଥରେ କୌଣସି କାମରେ ବାହାରକୁ ଯାଇଥିଲେ। ଏହି ସମୟରେ ନିଜର ଛୋଟ ସନ୍ତାନ ଶ୍ରୀକେତନଙ୍କୁ ସେବାଭାର ଦେଇଥିଲେ। ଛୋଟ ନିର୍ବୋଧ ଶିଶୁର ଅନୁରୋଧ ରକ୍ଷାକରି ପ୍ରଭୁ ସବୁଦିନ ଖିରି ଭୋଗ ପାନ କରି ତାର ମନ ରଖୁଥିଲେ। ଶିଶୁ ଟି ସବୁଦିନ ଭୋଗ ସମୟରେ କହୁଥିଲା ‘ ଆସ ଦିଅଁ ଖାଅ ଖିରି, ବାପା ଯାଇଛନ୍ତି ବିଦେଶ କରି’। ସରଳ ହୃଦୟର ଏହି ମନ୍ତ୍ରରେ ପ୍ରଭୁ ଖିରି ପାନ କରୁଥିଲେ। ଘରକୁ ପ୍ରତଦିନ ଖିରି ପ୍ରସାଦ ଆସୁନଥିବାରୁ ସମସ୍ତେ ଭାବୁଥିଲେ ପିଲାଲୋକ ଭୋଗ ପରେ ଖିରି ନିଜେ ଖାଇ ଠାକୁରଙ୍କ ନାମ ଦେଉଛି। ପରୀକ୍ଷା ପାଇଁ ଦିନେ ଠାକୁରଙ୍କ ଭୋଗ ସମୟରେ ହଠାତ ଦ୍ୱାର ଖୋଲି ଦିଆଯାଇଥିଲା। ପ୍ରଭୁ ତର ତର ହୋଇ ସିଂହାସନ ଉପରକୁ ଯିବା ସମୟରେ ତତଲା ଖିରି ପଡି ପ୍ରଭୁଙ୍କ ମୁହଁ, ଛାତି ଓ ହାତ ପାପୁଲିରେ ଫୋଟକା ହୋଇଗଲା। ଯାହା ଆଜିବି ଶ୍ରୀବିଗ୍ରହରେ ଦର୍ଶନୀୟ। ସ୍ୱୟଂ ଶ୍ରୀବିଗ୍ରହ ଯେ ଜୀବନ୍ତ ଏହା ତାର ପ୍ରତ୍ୟକ୍ଷ ପ୍ରମାଣ। ପ୍ରବାଦ ରହିଛି ଏହି ସମୟରେ ପ୍ରଭୁଙ୍କ ଦର୍ଶନ ଅତ୍ୟନ୍ତ ଫଳ ଦାୟକ। ଭକ୍ତ ଅନବସର ସମୟରେ ପ୍ରଭୁ ଶ୍ରୀଅଲାରନାଥ ଦେବଙ୍କୁ ଦର୍ଶନ କରି ଶ୍ରୀଜଗନ୍ନାଥଙ୍କ ଦର୍ଶନର ସମସ୍ତ ଫଳ ଲାଭ କରିବା ସହ ନିଜ ଜୀବନକୁ ଧନ୍ୟ ମନେକରିଥାଏ।

Comments are closed.