ହୀରାକୁଦରେ କେଜ୍ କଲଚର୍ ଫିସିଂ ନେଇ ସମୀକ୍ଷା, ମତ୍ସ୍ୟଜୀବୀଙ୍କ ପାଇଁ ଖୁବ ଶୀଘ୍ର ସିଏଫସି ପ୍ରତିଷ୍ଠା ହେବ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରେ ଇତିମଧ୍ୟରେ କେଜ୍ କଲଚର୍ ମାଛ ଚାଷ ଆରମ୍ଭ ହୋଇସାରିଛି । ତେବେ ଏହାର ସୁପରିଚାଳନା ପାଇଁ ଏକ ସ୍ବତନ୍ତ୍ର ଜେଟି ଓ ମତ୍ସ୍ୟଜୀବୀଙ୍କ ପାଇଁ ସୁବିଧା କେନ୍ଦ୍ର (ସିଏଫସି) ଖୋଲିବାକୁ ସ୍ଥିର ହୋଇଛି ।

ଜିଲ୍ଲାପାଳ ଶୁଭମ ସକ୍ସେନାଙ୍କ ଅଧ୍ୟଖ୍ୟତାରେ ଅନୁଷ୍ଠିତ ଏହି ବୈଠକରେ ମତ୍ସ୍ୟଜୀବୀଙ୍କୁ ଯେପରି ଗୋଟିଏ ସ୍ଥାନରେ ସବୁ ସୁବିଧା ମିଳିବ ସେନେଇ ଆଲୋଚନା ହୋଇଛି । ଏହି ସୁବିଧା କେନ୍ଦ୍ର ବା ସିଏଫସି ପାଇଁ ତୁରନ୍ତ ଆବଶ୍ୟକ ଜମି ଚିହ୍ନଟ କରିବାକୁ ସ୍ଥିର ହୋଇଛି । ମାଛ ରପ୍ତାନି ପାଇଁ ଆବଶ୍ୟକ ବରଫ ଯୋଗାଇବାକୁ ଏକ ଆଇସ୍ ପ୍ଲାଣ୍ଟ ସ୍ଥାପନ କରାଯିବ । ସେହିପରି ଏହି ସିଏଫସି କେନ୍ଦ୍ରରେ ମାଛ ରଖିବାକୁ ଗୋଦାମ ଘର, ଅଫିସ କୋଠା, ବିଜୁଳି ବ୍ୟବସ୍ଥା, ଡ୍ରେନ୍ ଓ ପାନୀୟ ଜଳ ସୁବିଧା ସହ ବର୍ଜ୍ୟ ପରିଚାଳନା ପ୍ରକଳ୍ପ ବି କାର୍ଯ୍ୟ କରିବ ବୋଲି ଯୋଜନା ହୋଇଛି । ଆଉ ଏହି କେନ୍ଦ୍ରକୁ ଗମନାଗମନ ପାଇଁ ରାସ୍ତା ନିର୍ମାଣ କରିବାକୁ ନିର୍ଦେଶ ଦିଆଯାଇଛି ।

ସବୁଠାରୁ ଗୁରୁତ୍ବପୂର୍ଣ କଥା ହେଉଛି ଯେ ବିଭିନ୍ନ ସମୟରେ ହୀରାକୁଦ ଜଳଭଣ୍ଡାରରେ ମାଛ ରୋଗକ ଶିକାର ହେଉଥିବା ବେଳେ ଏହି ରୋଗ ନିରୁପଣ ପାଇଁ ଏକ ପରୀଖ୍ୟାଗାର ସ୍ଥାପନ କରିବାକୁ ଚୂଡାନ୍ତ ନିଷ୍ପତ୍ତି ହୋଇଛି । ଏହି ବୈଠକରେ ଉପଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂରଙ୍କ ସମେତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ ଯେ ଦୁଇଦିନ ତଳେ ହୀରାକୁଦରେ ଚାଲିଥିବା କେଜ୍ କଲଚର୍ ଫିସିଂର ତତ୍ତ୍ବାବଧାନ ପାଇଁ ଏକ ମୋଟର୍ ବୋଟ୍ ଆସି ପହଞ୍ଚି ଯାଇଛି । ହୀରାକୁଦ ଜଳଭଣ୍ଡାରରେ ପ୍ରାୟ ୯୦ଟି କେଜ୍ କଲଚର୍ ବା ଘେରି ଚାଷ ଆରମ୍ଭ ହେବାକୁ ଯାଉଛି । ଆଗାମୀ ଦିନେ ଏହା ୨୦୦କୁ ବ୍ରୁଦ୍ଧି ପାଇବ ବୋଲି ଜଣାପଡିଛି ।

Comments are closed.