ଏମସିଏଲ କ୍ଷତିଗ୍ରସ୍ତଙ୍କ ଆମରଣ ଅନଶନ, ବିନା ନିଯୁକ୍ତି ଓ କ୍ଷତିପୂରଣରେ ଜମି ଅଧିଗ୍ରହଣକୁ ବରଦାସ୍ତ କରାଯିବ ନାହିଁ: କିଶୋର

ଝାରସୁଗୁଡା : ରାଷ୍ଟ୍ରୀୟ କଂପାନି ଏମସିଏଲ ଅଞ୍ଚଳବାସୀଙ୍କ ପ୍ରତି ଚରମ କୁଠାରଘାତ କରି ଆସିଛି । ଖୋଦ୍ କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରଣିତ ବିସ୍ଥାପନ ଓ ଥଇଥାନ ନୀତିକୁ ଏହି କେନ୍ଦ୍ରୀୟ ସଂସ୍ଥା ଦଶନ୍ଧି ଦଶନ୍ଧି ଧରି ଉଲ୍ଲେଘନ କରି ଆସିଛି । ଆଉ ଏବେ ଲଖନପୁର ବ୍ଲକର ଦର୍ଲିପାଲିବାସୀଙ୍କ ସହ ଆତ୍ମଘାତୀ ଖେଳ ଖେଳିବା ଆରମ୍ଭ କରିଛି । ବିନା କ୍ଷତିପୂରଣ ଓ ନିଯୁକ୍ତିରେ କଂପାନି ଜୋରଦବରଦସ୍ତ ଦର୍ଲିପାଲି ଗାଁକୁ ଅଧିଗ୍ରହଣ କରୁଥିବାରୁ ଏହାର ପ୍ରତିବାଦରେ ଦୁଇଦିନ ହେଲା ଏମସିଏଲର ଲଖନପୁର କୋଇଲା ଖଣି ଅଫିସ ଆଗରେ ଅନଶନ ଜାରି ରହିଛି । ତେବେ , ନିୟମ ଅନୁଯାୟୀ , ନିଯୁକ୍ତି ଓ କ୍ଷତିପୂରଣ ପ୍ରଦାନ କରାନଗଲେ ଆଗକୁ ଆନ୍ଦୋଳନ ଜୋରଦାର କରିବାକୁ ଆଜି ଧାରଣାସ୍ଥଳରେ ବିଧାୟକ କିଶୋର ମହାନ୍ତି ଚେତାବନୀ ଦେଇଛନ୍ତି ।

ଆରପିଡିଏସି ବୈଠକର ନିଷ୍ପତ୍ତି ଲାଗୁ କରିବା ସହ ନିଯୁକ୍ତି ଓ କ୍ଷତିପୂରଣ ପ୍ରଦାନ ଦାବିରେ ଏମସିଏଲ୍ ଅଧିଗୃହୀତ ଦର୍ଲିପାଲି ଗ୍ରାମବାସୀଙ୍କ ପକ୍ଷରୁ ଆମରଣ ଅନଶନ ଦୁଇଦିନ ହେଲା ଜାରି ରହିଛି । ଆଜି ସନ୍ଧ୍ୟାରେ ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତି ପହଞ୍ଚି ଏହାକୁ ପୂର୍ଣ୍ଣ ସମର୍ଥନ ଦେଇଛନ୍ତି । ଏକ ନ୍ୟାୟୋଚିତ ଲଢ଼େଇ ଆରପିଡିଏସି ବୈଠକର ନିଷ୍ପତ୍ତିକୁ କଂପାନି ଖୋଲାଖୋଲି ଉଲ୍ଲଂଘନ କରିଥିବା ନେଇ ସେ ଅଭିଯୋଗ କରିଛନ୍ତି । ଏହାର ବିରୋଧରେ ଆସନ୍ତା ୯ ତାରିଖରେ ହେବାକୁ ଥିବା ବିଧାନସଭା ଷ୍ଟାଣ୍ଡିଂ କମିଟି ବୈଠକରେ ଏହି ପ୍ରସଙ୍ଗ ଉଠାଯିବ ବୋଲି ସେ ପ୍ରକାଶ କରିଛନ୍ତି । ଆଉ ବିସ୍ଥାପିତଙ୍କ କ୍ଷେତ୍ରରେ ଥିବା କଟ୍- ଅଫ୍ ଡେଟ୍ ପରିବର୍ତ୍ତନ ନ ହେଲେ ଆଗକୁ ଜୋରଦାର ଆନ୍ଦୋଳନ ହେବ ବୋଲି ସେ ଚେତାବନୀ ଦେଇଛନ୍ତି ।

ଅପରପକ୍ଷେ , ଏହି ଆନ୍ଦୋଳନକୁ ବିଜେପି ଓ କଂଗ୍ରେସ ବି ସମର୍ଥନ ଦେଇଛି । ଏହାଛଡା ବିଭିନ୍ନ ସାମାଜିକ ସଂଗଠନ ମଧ୍ୟ ଏହାକୁ ସମର୍ଥନ ଦେଇଥିବା ବେଳେ କଂପାନି ଅଧିକାରୀଙ୍କ ମନୋଭାବକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଲଖନପୁର ତହସିଲଦାର ବିଶ୍ୱକେଶନ ପାଣ୍ଡେ ଆନ୍ଦୋଳନସ୍ଥଳରେ ପହଞ୍ଚି ଅନଶନକାରୀଙ୍କ ଠାରୁ ଦାବିପତ୍ର ଗ୍ରହଣ କରିଛନ୍ତି । ସେପଟେ , ଦାବି ପୂରଣ ହେବା ଯାଏ ଏହି ଆନ୍ଦୋଳନ ଜାରି ରହିବ ବୋଲି ଦର୍ଲିପାଲିବାସୀ ଘୋଷଣା କରିଛନ୍ତି ।

Comments are closed.