ପୁରୀ: ଆଜି ଶ୍ରୀମନ୍ଦିର ରେ ଶ୍ରୀଜୀଉ ମାନଙ୍କ ଚକାବିଜେ

ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ବର୍ତ୍ତମାନ ଅନବସର ଲୀଳା ଚାଲିଛି। ଏହିକ୍ରମରେ କୃଷ୍ଣ ପଞ୍ଚମୀ ଠାରୁ ସପ୍ତମୀ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଶ୍ରୀତୈଳ ବା ଫୁଲୁରୀ ଲାଗି ସରିଛି। ଅଷ୍ଟମୀ ତିଥିରେ ପଟ୍ଟାବନ୍ଧନ ବା ଶ୍ରୀକପଡା ଲାଗିପରେ ନବମୀ ତିଥିରେ ସର୍ବାଙ୍ଗରେ କରାଳ ଲେପନ କରାଯାଇଛି। ଆଜି ମହାପ୍ରଭୁ ଚକା ବିଜେ କରିବେ।

ଆଷାଢ଼ କୃଷ୍ଣ ଦଶମୀ ଆଜି ଦିନରେ ମହାପ୍ରଭୁ ଅନବସର ଘରେ ଥିବା ତିନୋଟି କଳାମୁଗୁନି ପଥର ଚକା ଉପରେ ବିଜେ କରିବେ। ପ୍ରତିପଦାରୁ ଦଶମୀ ପର୍ଯ୍ୟନ୍ତ ପ୍ରଭୁ ଶୟନ ଅବସ୍ଥାରେ ସେବା ପାଉଥିଲେ। ଆଜି ଚକା ଉପରେ ବସିବେ। ଏହାସହ ଆଜି ଶ୍ରୀଜୀଉଙ୍କୁ ଦଶମୂଳ ଭୋଗ ଲଗାଯିବ। ପରମ୍ପରା ଅନୁସାରେ ଶ୍ରୀବିଗ୍ରହମାନଙ୍କ ଆରୋଗ୍ୟ ପାଇଁ ରାଜବୈଦ୍ୟ ପ୍ରସ୍ତୁତ ଦଶମୂଳ ସେବନ କରିବାକୁ ଦିଆଯିବ। ଏହାକୁ ସେବନ କଲାପରେ ସେମାନେ ସୁସ୍ଥ ହୋଇ ଚକା ଉପରେ ବସିବେ।
ରାଜବୈଦ୍ୟମାନେ ଶୁଦ୍ଧପୂତ ଭାବରେ ହବିଷାନ୍ନ ଖାଇ ଏହି ଦଶମୂଳକୁ ପ୍ରସ୍ତୁତ କରିଥାନ୍ତି। ଦଶମୀ ଦିନ ତାଳପତ୍ର ଭୋଗେଇରେ ଏହି ସ୍ୱତନ୍ତ୍ର ମୋଦକକୁ ଶ୍ରୀମନ୍ଦିର ଗାରଦରେ ଜମା ଦେଇଥାନ୍ତି। ପତିମହାପାତ୍ର ଏହି ମୋଦକକୁ ଶ୍ରୀଜୀଉଙ୍କ ଠାରେ ନୈବେଦ୍ୟ କଲାପରେ ଶ୍ରୀଜୀଉ ମାନେ ଚକାଲାଗି ହୁଅନ୍ତି। ଶ୍ରୀଜୀଉଙ୍କ ପାଇଁ ପ୍ରସ୍ତୁତ ହେଉଥିବା ଦଶମୂଳ ମୋଦକ ପାଇଁ ଆବଶ୍ୟକ ପଡିଥାଏ ବେଲଛେଲି, ଗମ୍ଭାରୀ, ଫଣଫଣା, ଅଗବଥୂ, କୃଷ୍ନପର୍ଣ୍ଣି, ଶାଳପର୍ଣ୍ଣି, ଅକ୍ରାନ୍ତି, ପାଟଳି ଓ ଲମ୍ବିକୋଳି ଆଦି ଚେରମୂଳ।ମାନବୀୟ ଲୀଳା କ୍ରମରେ ମହାପ୍ରଭୁ ଏହି ଔଷଧ ସେବନ କରି ସୁସ୍ଥତା ଲାଭ କରନ୍ତି।

Comments are closed.