ୟୁପି ପଞ୍ଚାୟତ ନିର୍ବାଚନରେ ଅଖିଳେଶ ଯାଦବଙ୍କୁ ଝଟ୍‌କା

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟିକୁ ଶକ୍ତ ଝଟ୍‌କା ଲାଗିଛି । ଉତ୍ତର ପ୍ରଦେଶ ଜିଲ୍ଲା ପଞ୍ଚାୟତ ନିର୍ବାଚନରେ ସମାଜବାଦୀ ପାର୍ଟି ଆଶାନୁରୂପ ସଫଳତା ହାସଲ କରିପାରି ନାହିଁ । ରାଜ୍ୟର ୭୫ଟି ଜିଲ୍ଲା ପଞ୍ଚାୟତ ଆସନ ମଧ୍ୟରୁ ବିଜେପି ୬୭ଟିରେ ବିଜୟୀ ହୋଇଥିବା ବେଳେ ସମାଜବାଦୀ ପାର୍ଟି କେବଳ ପାଞ୍ଚଟି ଆସନ ପାଇଛି । ଅନ୍ୟ ଦଳମାନଙ୍କ ମଧ୍ୟରେ ରାଷ୍ଟ୍ରୀୟଲୋକ ଦଳ, ଜନସତ୍ତା ଦଳ ଏବଂ ଜଣେ ସ୍ୱାଧୀନ ପ୍ରାର୍ଥୀ ଗୋଟିଏ ଲେଖାଏଁ ଆସନ ଜିତିଛନ୍ତି ।

ବିଧାନସଭା ନିର୍ବାଚନ ପୂର୍ବରୁ ଜିଲ୍ଲା ପଞ୍ଚାୟତ ନିର୍ବାଚନରେ ବିଜେପିର ବିଜୟ ଅଖିଳେଶଙ୍କ ପାଇଁ ଏକ ସତର୍କଘଣ୍ଟି ହୋଇଛି । ତେବେ କେତେକ ଆସନରେ ଭୋଟ୍ ରିଗିଂ ହୋଇଥିବ ଅଭିଯୋଗ ଆଣିଛି ସମାଜବାଦୀ ପାର୍ଟି । ପ୍ରୟାଗରାଜରେ ଭୋଟ ରିଗିଂ ହୋଇଥିବା ଅଭିଯୋଗ କରିଛି ଦଳ । ଏନେଇ ଦଳ ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ସମାଜବାଦୀ ପାର୍ଟି ୨୦୧୬ ତୁଳନାରେ ଏଥର ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ୨୦୧୬ରେ ସମାଜବାଦୀ ପାର୍ଟି ୬୦ଟି ଆସନ ଜିତିଥିଲା । ତେବେ ରାଜେନୈତିକ ସମୀକ୍ଷକଙ୍କ ମତରେ ପଞ୍ଚାୟତ ନିର୍ବାଚନର ଫଳାଫଳ ବିଧାନସଭା ନିର୍ବାଚନ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ପଞ୍ଚାୟତ ନିର୍ବାଚନ ସ୍ଥାନୀୟ ସମସ୍ୟା ଭିତ୍ତିରେ ଲଢ଼ାଯାଏ ବୋଲି ସେମାନେ କହିଛନ୍ତି । ରାଜ୍ୟରେ ଆଗାମୀ ବିଧାନସଭା ନିର୍ବାଚନ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପାଇଁ ଅଗ୍ନିପରୀକ୍ଷା ହେବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।

Comments are closed.