ସଙ୍କଟରେ ବିଜେପି, ୮ ରାଜ୍ୟରେ ତେଜୁଛି ଅସନ୍ତୋଷର ନିଆଁ; ଯୋଗୀଙ୍କ ଆସନ ବି ଟଳମଳ

ନୂଆଦିଲ୍ଲୀ: ଗତ ୭ ବର୍ଷ ଧରି କେନ୍ଦ୍ରରେ ନିଜ ସ୍ଥିତି ମଜଭୁତ କରିିଥିବା ବିଜେପି ପାଇଁ ଏବେ ଦଳୀୟ କନ୍ଦଳ ମୁଣ୍ଡବିନ୍ଧାର କାରଣ ପାଲଟିଛି । ୮ ରାଜ୍ୟରେ ଦେଖା ଦେଇଥିବା ଅନ୍ତଃ କନ୍ଦଳ ବିଜେପି ପାଇଁ ବଡ଼ ଆହ୍ୱାନ ହୋଇଛି । ଉତ୍ତର ପ୍ରଦେଶ ଓ କର୍ଣ୍ଣାଟକ ଠାରୁ ଆରମ୍ଭ କରି ତ୍ରିପୁରା ଯାଏଁ ଦଳ ଭିତରେ ଅସନ୍ତୋଷର ନିଆଁ ତେଜିବାରେ ଲାଗିଛି । ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ନିଜ ଦଳ ଭିତରୁ ବିରୋଧର ସମ୍ମୁଖୀନ ହୋଇଛନ୍ତି । ତାଙ୍କ ଆସନ ବି ଏବେ ଟଳମଳ । ଏହିସବୁ ରାଜ୍ୟରେ ନିଜ ଦଳ ଭିତରେ ଲାଗିଥିବା ବିଦ୍ରୋହର ନିଆଁକୁ ପ୍ରଶମିତ କରିବାରେ ଲାଗିପଡିଛନ୍ତି ବିଜେପିର କେନ୍ଦ୍ରୀୟ ନେତୃବର୍ଗ ।

କରୋନାର ଦ୍ୱିତୀୟ ଲହରୀର ପ୍ରକୋପ ଥମିବା ପରେ ପରେ ମହାରାଷ୍ଟ୍ର, ରାଜସ୍ଥାନ, ଛତିଶଗଡ଼ ଓ ପଶ୍ଚିମବଙ୍ଗରେ ମଧ୍ୟ ବିଜେପି ଭିତରୁ ତୀବ୍ର ହେଉଛି ବିଦ୍ରୋହର ସ୍ୱର ।

ବିଜେପିର ରାଜ୍ୟ ଶାଖା ଗୁଡିକରେ ଦେଖା ଦେଇଥିବା ଅସନ୍ତୋଷର ମୁଖ୍ୟ କାରଣ ହେଉଛି ରାଜ୍ୟ ନେତୃତ୍ୱ ପାଇଁ ନିର୍ବାଚନରେ କେନ୍ଦ୍ରର ଅହେତୁକ ହସ୍ତକ୍ଷେପ । ବିଜେପିର ହାଇକମାଣ୍ଡ୍ ସଂସ୍କୃତି ଯୋଗୁଁ ମହାରାଷ୍ଟ୍ରରେ ଏକ ଅଣ ମରାଠା (ଦେବେନ୍ଦ୍ର ଫଡନଭିସ୍‌), ହରିୟାଣାରେ ଏକ ଅଣ ଜାଟ୍ (ମନହୋର ଲାଲ ଖଟ୍ଟର) ଏବଂ ଝାଡ଼ଖଣ୍ଡରେ ଏକ ଅଣ ଆଦିବାସୀ (ରଘୁବର ଦାସ) ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଦଳ ନିଷ୍ପତ୍ତି ନେଇଥିଲା । ତେବେ ଏଭଳି ପରୀକ୍ଷା ନିରୀକ୍ଷା ଦଳ ପାଇଁ ବୁମେରାଂ ପାଲଟିଛି । ଉପରୋକ୍ତ ତିନି ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ କେବଳ ମନୋହର ଲାଲ ଖଟ୍ଟର ହିଁ ନିଜ ଗାଦି ବଞ୍ଚାଇବାରେ ସକ୍ଷମ ହୋଇପାରିଛନ୍ତି, ତାହା ପୁଣି ଏକ ମେଣ୍ଟ ସାହାଯ୍ୟରେ ।

ରାଜ୍ୟ ଶାଖା ଗୁଡିକରେ ଅସନ୍ତୋଷର ଅନ୍ୟ ଏକ କାରଣ ହେଉଛି କରୋନାର ଦ୍ୱିତୀୟ ଲହରୀ । ମହାମାରୀ ଚ୍ୟାଲେଞ୍ଜର ସଫଳ ମୁକାବିଲା କରିବାରେ ବିଜେପିର ଦୁର୍ବଳତା ପଦାରେ ପଡିଯାଇଥିଲା । ସଂକ୍ରମଣକୁ ରୋକିବାରେ କେନ୍ଦ୍ର ସରକାର ସହ ବିଜେପି ଶାସିତ ରାଜ୍ୟ ସରକାରମାନେ ମଧ୍ୟ ବିଫଳ ହୋଇଥିଲେ । ଫଳସ୍ୱରୂପ ଦଳର ଛବି ଖରାପ ହୋଇଥିଲା । ରାଜ୍ୟ ସ୍ତରରେ ଦଳର ନେତାଙ୍କୁ ଲୋକଙ୍କ ଅସନ୍ତୋଷ ଓ ରୋଷର ସାମ୍ନା କରିବାକୁ ପଡିଥିଲା । କିଛି ରାଜ୍ୟସ୍ତରୀୟ ନେତା କେନ୍ଦ୍ରର କରୋନା ନୀତିକୁ ମଧ୍ୟ ପରୋକ୍ଷରେ ସମାଲୋଚନା କରିଥିଲେ ।

Comments are closed.